ସମଣା ସମବାୟ ସମିତିରେ ରାତି ଅଧିଆ ସାର ବିକ୍ରିକୁ ନେଇ ଅସନ୍ତୋଷ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ସମଣା ସମବାୟ ସମିତିରେ ଚାଷୀଙ୍କ ପାଇଁ ଆସିଥିବା ସାର ରାତି ଅଧିଆ ବିକ୍ରି ହେଉଥିବା ନେଇ ଅଭିଯୋଗ ଉଠିଛି। ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷ କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ସମୟରେ ସାରର ଅଭାବ ଦେଖାଦେଇଥିବା ବେଳେ ଏଭଳି ଭାବେ ରାତିରେ ସାର ବିକ୍ରି କରାଯିବା ଘଟଣା ଚାଷୀଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ସମିତିରେ ଦିନ ସମୟରେ ଆବଶ୍ୟକ ପରିମାଣର ସାର ମିଳୁନଥିବା ବେଳେ ରାତିରେ ସାର ବିକ୍ରି ହେଉଛି। ଗତକାଲି ରାତିରେ ବସ୍ତା ବସ୍ତା ସାର ଟ୍ରାକ୍ଟର ଯୋଗେ ସମିତିରୁ ବାହାରକୁ ଚାଲାଣ ହୋଇଥିଲା। ଫଳରେ ଦିନବେଳେ ସମିତିକୁ ଆସି ସାର ପାଇଁ ଅପେକ୍ଷା କରୁଥିବା ଚାଷୀମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି। ଅନ୍ୟପକ୍ଷରେ ରାତିରେ ସାରବିକ୍ରି କରାଯାଉଥିବା ଅଭିଯୋଗକୁ ନେଇ ସାରବଣ୍ଟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଚାଷୀମାନେ କହିଛନ୍ତି ଯେ, ସାର ବିକ୍ରିରେ ନିର୍ଦ୍ଧାରିତ ନିୟମ ପାଳନ କରାଯିବା ସହ ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯିବା ଆବଶ୍ୟକ। କିନ୍ତୁ ସାର କେବେ ଆସୁଛି, କେତେ ପରିମାଣରେ ଆସୁଛି ଏବଂ କେଉଁ ଚାଷୀଙ୍କୁ କେତେ ପରିମାଣରେ ଦିଆଯାଉଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ସାର୍ବଜନୀନ କରାଯିବାକୁ ମଧ୍ୟ ଚାଷୀମାନେ ଦାବି କରିଛନ୍ତି । ଏହି ଘଟଣାରେ ସମବାୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯଦି ନିୟମ ବହିର୍ଭୂତ ଭାବେ ସାର ବିକ୍ରି ହୋଇଥାଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ଆଗାମୀ ଦିନରେ ଚାଷୀମାନଙ୍କୁ ଦିନବେଳେ ସୁବ୍ୟବସ୍ଥିତ ଭାବେ ସାର ଯୋଗାଇ ଦିଆଯିବା ସହ କଳାବଜାରୀ ଓ ଅନିୟମିତତା ରୋକିବା ପାଇଁ କଡ଼ା ନଜର ରଖିବାକୁ ମଧ୍ୟ ଦାବି ହୋଇଛି। ତେବେ ରାତି ଅଧିଆ ସାର ବିକ୍ରି ନେଇ ଉଠିଥିବା ଅଭିଯୋଗ ସମ୍ପର୍କରେ ସମିତିର ସମ୍ପାଦକ ଅକ୍ଷୟ କବିଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଚାଷୀଙ୍କ ସାର ଉଠାଣ ହୋଇଥିବା ବେଳେ ସେମାନେ ଏକତ୍ରିତ ହୋଇ ଏକ ଟ୍ରାକ୍ଟରରେ ସେମାନଙ୍କ ସାରକୁ ସନ୍ଧ୍ୟାବେଳେ ନେଇଛନ୍ତି ବୋଲି କହିଛନ୍ତି। ଅଭିଯୋଗର ତଦନ୍ତ ସାମନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କରେ ଡିଆରସିଏସ ପର୍ଶୁରାମ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଏଆରସିଏସ ଆନନ୍ଦପୁରଙ୍କୁ ଘଟଣାର ତଦନ୍ତ ପାଇଁ କହିଛି ବୋଲି କହିଛନ୍ତି।  ସାର କେଉଁ ପରିସ୍ଥିତିରେ ରାତିରେ ବିକ୍ରି କରାଯାଇଥିଲା ଏବଂ ବଣ୍ଟନ ପ୍ରକ୍ରିୟାରେ ସମସ୍ତ ନିୟମ ପାଳନ ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଘଟଣାର ନିରପେକ୍ଷ ତଦନ୍ତ ସହ ଶୀଘ୍ର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ