‘ଜଣା ଅଜଣା’ କାର୍ଯ୍ୟକ୍ରମରେ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ୍ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ଦୂରଦର୍ଶନର ‘ଜଣା ଅଜଣା’ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ପର୍ଯ୍ୟାୟରେ ଯୋଗଦେଇ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗତକାଲି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଓଡ଼ିଶାର ଭୂଗୋଳ ସମେତ ବିଭିନ୍ନ ବିଷୟ ଉପରେ ଆଧାରିତ ସାଧାରଣ ଜ୍ଞାନ ପ୍ରଶ୍ନ ପଚରାଯାଇଥିଲା। ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଛାତ୍ର ଚନ୍ଦନ ମଲ୍ଲିକ, ଶୂନ୍ୟବାସୀ ସାହୁ, ଗାୟତ୍ରୀ କୁମାରୀ ଓ ସୁଲଗ୍ନା ସାହୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ଦେଇଥିଲେ। ଏହି ସଫଳତା ପାଇଁ ସେମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ମାର୍ଗଦର୍ଶନ ରହିଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କର ଏବଂ ଅଧ୍ୟକ୍ଷ ହେମନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କୁ ଚୟନ କରି ଭୁବନେଶ୍ୱର ଦୂରଦର୍ଶନର ‘ଜଣା ଅଜଣା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଠାଇଥିଲେ। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷୟିତ୍ରୀ ତନୁଶ୍ରୀ ତନୟା ପହି ଓ ଶୁଭଶ୍ରୀ ପଣ୍ଡା ମାର୍ଗଦର୍ଶକ ଶିକ୍ଷକ ଭାବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରକୁ ଯାଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ସାଧାରଣ ଜ୍ଞାନର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ପ୍ରସ୍ତୁତ କରାଇବା ସହ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ। ଦୂରଦର୍ଶନ କେନ୍ଦ୍ରର ‘ଜଣା ଅଜଣା’ କାର୍ଯ୍ୟକ୍ରମର ପ୍ରଶିକ୍ଷକ ସଂଗ୍ରାମ କେଶରୀ ଜେନାଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ନିର୍ଭୁଲ ଭାବେ ପ୍ରଦାନ କରିଥିଲେ। ସେମାନଙ୍କ ଉତ୍ତର ଦେବାର ଦକ୍ଷତା, ଆତ୍ମବିଶ୍ୱାସ ଓ ସାଧାରଣ ଜ୍ଞାନର ପ୍ରଶଂସା କରାଯାଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ବୀଣାପାଣି କଳାନିକେତନର ପ୍ରତିଷ୍ଠାତା ପାର୍ଥସାରଥୀ ଦାଶ (ଜିତୁ ସାର)ଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପାଦିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ପ୍ରତିଷ୍ଠିତ ମଞ୍ଚରେ ନିଜର ଜ୍ଞାନ ଓ ପ୍ରତିଭାର ପରିଚୟ ଦେଇ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ହାଟଡିହି ଅଞ୍ଚଳର ଶିକ୍ଷାକ୍ଷେତ୍ର ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛନ୍ତି। ସେମାନଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାଧାରଣ ଜ୍ଞାନ, ଅଧ୍ୟୟନ ଓ ବିଭିନ୍ନ ପ୍ରତିଯୋଗିତା ପ୍ରତି ଆଗ୍ରହୀ ହେବାକୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।


