ଆସିକାର କୃତି ଦୁଇ ଭଉଣୀ ସ୍ନିଗ୍ଧା ଓ ସୌମ୍ୟାଙ୍କୁ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅଧୀନସ୍ଥ ହାଟପଦା ଛକ ନିକଟରେ ରହୁଥିବା କୃତି ଦୁଇ ଭଉଣୀ ସ୍ନିଗ୍ଧା ସେନାପତି ଏବଂ ସୌମ୍ୟା ସେନାପତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ଅଞ୍ଚଳର ମେଧାବୀ କୃତି ସ୍ନିଗ୍ଧା ସେନାପତି ଏବଂ ସୌମ୍ୟା ସେନାପତି ନିଜ ନିଜର ଅଦମ୍ୟ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା-୨୦୨୪ ରେ କୃତି ସ୍ନିଗ୍ଧା ସେନାପତି କୃତକାର୍ଯ୍ୟ ହୋଇଥିଲା ବେଳେ ତାଙ୍କ ସାନ ଭଉଣୀ ସୌମ୍ୟା ସେନାପତି ବି ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଓଡିଶା ଉଚ୍ଚ ନ୍ୟାୟାଳୟ (କଟକ) ରେ ସହକାରୀ ବିଭାଗ ଅଧିକାରୀ ରୂପେ ନିଯୁକ୍ତି ପାଇଥିବା ଜଣାପଡିଛି । ଆସିକା ଅଞ୍ଚଳର କୃତି ଦୁଇ ଭଉଣୀ ସ୍ନିଗ୍ଧା ସେନାପତି ଏବଂ ସୌମ୍ୟା ସେନାପତିଙ୍କୁ ପୌର ପରିଷଦ ଅଧିନସ୍ଥ ଲାଲାଶାସନ ଗ୍ରାମ କମିଟି ସଭାପତି ତଥା ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ପରିଚାଳନା ପରିଷଦର ସଦସ୍ୟ ରବିନ୍ଦ୍ର କୁମାର ସାମଲ, ଯୁବ ସମାଜସେବୀ ଶିବପ୍ରସାଦ ଶତପଥୀ, ଆଧ୍ୟାତ୍ମିକପ୍ରେମୀ ମହିଳା ଉଷାରାଣୀ ତ୍ରିପାଠୀ ପ୍ରମୁଖ ଭେଟି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ନଗର ବିଜେଡି ସଭାପତି ତଥା ପୌର ପରିଷଦର ପୂର୍ବତନ କାଉନସିଲର ଏମ୍.ତାରିଣୀ ସେନାପତି ଏବଂ ଆସିକା ନଗର ମହିଳା ବିଜେଡିର ସଭାନେତ୍ରୀ ଏମ୍.ରଶ୍ମିତା ସେନାପତିଙ୍କ ସମେତ ବହୁ ସଚେତନ ନାଗରିକ ଓ ବୁଦ୍ଧିିଜୀବୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।


