କାଗଜରେ ଅଟକିଲା କାକଟପୁର ଏନଏସି
କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ):ଦାବୀ ହେଲା, ରାସ୍ତାକୁ ଓହ୍ଲାଇଲେ ଲୋକେ, ଶେଷରେ ଘୋଷଣା ବି ହେଲା, ହେଲେ ବିକାଶ ହେଲାନି! ପୁରୀ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ମଙ୍ଗଳାଙ୍କ ପୀଠ କାକଟପୁରର ବାସ୍ତବ ଚିତ୍ର। ଏନଏସି ମାନ୍ୟତା ମିଳି ଦେଢ ବର୍ଷ ଉର୍ଦ୍ଧ ବିତିଲାଣି, ହେଲେ ଏଠି ସ୍ଥିତି ଯେଉଁଠି ସେଇଠି। କାକଟପୁର ଅଞ୍ଚଳରୁ ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିଲା କାକଟପୁରକୁ ଏନଏସି କରାଯାଉ। ସ୍ଥାନୀୟ ଲୋକେ ଅନେକ ଥର ଆନ୍ଦୋଳନ କରିଥିଲେ। ଶେଷରେ ଲୋକଙ୍କ ଦାବୀକୁ ନଜରରେ ରଖି ପୂର୍ବ ସରକାର ୨୦୨୪ ମାର୍ଚ୍ଚ ୧୩ ତାରିଖରେ କାକଟପୁରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଭାବେ ଘୋଷଣା କରିଥିଲେ। ଘୋଷଣା ପରେ ଅଂଚଳବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା ଏବେ ରାସ୍ତା, ଡ୍ରେନ, ପାନୀୟ ଜଳ, ଆଲୋକୀକରଣ, ଆବର୍ଜନା ପରିଚାଳନାରେ ଉନ୍ନତି ହେବ। ହେଲେ ଘୋଷଣା ପରେ ସରକାର ବଦଳିଗଲା, ଆଉ ଫାଇଲ ବି ବଦଳିଗଲା! ବର୍ତ୍ତମାନ ସୁଦ୍ଧା କାକଟପୁର ଏନଏସି କେବଳ କାଗଜପତ୍ରରେ ସୀମିତ ରହିଛି। ନୂଆ ସରକାରୀ ସ୍ତରରେ ଏହା ଆଗକୁ ଯାଉନାହିଁ। ଏଯାଏଁ ନିଜସ୍ୱ ଅଫିସ ଗଠନ ହୋଇନାହିଁ, କର୍ମଚାରୀ ନିଯୁକ୍ତି ହୋଇନାହିଁ, ସୀମା ନିର୍ଦ୍ଧାରଣ କାର୍ଯ୍ୟ ବି ସମ୍ପୂର୍ଣ୍ଣ ହୋଇନାହିଁ। ସବୁ କାମ ଏଯାଏଁ ପଞ୍ଚାୟତ ବ୍ୟବସ୍ଥାରେ ହିଁ ଚାଲିଛି। ମା’ ମଙ୍ଗଳା ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି, ହେଲେ ମୌଳିକ ସୁବିଧା ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ରାଜ୍ୟର ଅନ୍ୟ ଏନଏସି ଗୁଡିକରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଲୋକାର୍ପଣ ହେଉଥିବା ବେଳେ କାକଟପୁର ସେଥିରୁ ବଞ୍ଚିତ ହୋଇଛି। ପ୍ରଶାସନର ଅବହେଳା ଯୋଗୁଁ ବିକାଶ ଥମି ଯାଇଛି। ଏ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେଣୁ ଶୀଘ୍ର କାକଟପୁର ଏନଏସି କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ନିର୍ବାଚନ କରିବାକୁ ଜନସାଧାରଣରେ ଦାବି ହେଉଛି।ଅପେକ୍ଷା କେବେ ସମ୍ପୂର୍ଣ୍ଣ ମାନ୍ୟତା ମିଳିବ।


