ବେଆଇନ ବାଲିଚାଲାଣର ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ନାଲି ଆଖି ଦେଖାଇ ହାଇୱାକୁ ଛଡାଇ ନେଲେ ମାଫିଆ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବାଲି ମାଫିଆମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ି ଚାଲିଛି. ବେଆଇନ ଭାବେ ଆନ୍ଧ୍ରରୁ ଗଜପତି ଜିଲ୍ଲାକୁ ଆସିଥିବା ଏକ ବାଲି ବୋଝେଇ ହାଇୱାକୁ ଖଣି ବିଭାଗୀୟ ଅଧିକାରୀ ଯାଞ୍ଚ କରିବା ସମୟରେ ବାଲି ବୋଝେଇ ହାଇୱାକୁ ଧରି ବାଲି ମାଫିଆ ଚମ୍ପଟ ମାରିଛନ୍ତି. ଏହି ଘଟଣାରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱସମ୍ପନ୍ନ କରୁଥିବା ଅଧିକାରୀଙ୍କୁ ବାଲି ମାଫିଆମାନେ ନାଲି ଆଖି ଦେଖାଇ ଧମକ ଦେଇ ବେଆଇନ ବାଲି ବୋଝେଇ ହାଇୱାବାକୁ ଯାଞ୍ଚ ପୂର୍ବରୁ ମାଫିଆମାନେ ଛଡାଇ ନେଇଥିବା ଘଟଣା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ର କାଣ୍ଟରାଗଡ଼ା ନିକଟରେ ଗତକାଲି ଆନ୍ଧ୍ରରୁ ନମ୍ବର ବିହୀନ ଏକ ବେଆଇନ ବାଲି ବୋଝେଇ ହାଇୱା ଆସୁଥିବା ବେଳେ ଏହାର ଯାଞ୍ଚ କରୁଥିଲେ ଅତିରିକ୍ତ ଖଣି ଅଧିକାରୀ. ହେଲେ ମାଫିଆଙ୍କ ଆକ୍ରୋଶର ଶିକାର ହେବାସହ ଅଧିକାରୀ ଅଟକାଇଥିବା ବାଲି ବୋଝେଇ ହାଇୱାକୁ ଯାଞ୍ଚ ପୂର୍ବରୁ ଛଡ଼ାଇ ନେଇଯାଇଛନ୍ତି ମାଫିଆ. ସୂଚନା ଅନୁଯାୟୀ, ବେଆଇନ ବାଲି ପରିବହନ ହେଉଥିବା ଖବରପାଇ ଅତିରିକ୍ତ ଖଣି ଅଧିକାରୀ ଏକ ବାଲି ବୋଝେଇ ହାଇୱାକୁ ପାରଳାଖେମୁଣ୍ଡିରୁ ପିଛା କରିଥିଲେ. କାଣ୍ଟରାଗଡ଼ା ନିକଟରେ ସେ ହାଇୱାକୁ ଅଟକାଇ ଯାଞ୍ଚ କରିବାକୁ ଉଦ୍ୟମ କରିବା ବେଳେ ଦୁଇଜଣ ଯୁବକ ହଠାତ୍ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଆଉ ଗାଡ଼ିକୁ ସେଠାରୁ ସେମାନେ ଜବରଦସ୍ତି ଛଡାଇ ନେଇଥିଲେ. ଏହି ଘଟଣା ପ୍ରଘଟ ହେବା ପରେ ସାଧାରଣଙ୍କ ଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି. ଘଟଣା ନେଇ ପ୍ରଶାସନ ଓ ପଦସ୍ତ ଅଧିକାରୀ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।


