ବନ୍ଦ ଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବାକୁ ଶିକ୍ଷାବିଭାଗର ପ୍ରୟାସ

ଆସିକା  (ୱାଇଏନ୍‍ଏସ୍‍) : କମ୍‍ ଉପସ୍ଥାନ ଥିବା କାରଣରୁ ବିଗତ କିଛି ବର୍ଷ ତଳେ ବନ୍ଦ ହୋଇଯାଇଥିବା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର କ୍ଳଷ୍ଟରର ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ ବନ୍ଦ ଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରି ତଥ୍ୟ ସଂଗ୍ରହ କରିବା ପରେ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଶିକ୍ଷା ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ଧରି ବନ୍ଦ ହୋଇରହିଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇବା ପରେ ସରକାରଙ୍କ ଏହି ପଦକ୍ଷେପକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଧୋବାଡି ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ ହୋଇରହିଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ହରିଡାପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଆସିକା ସମବାୟ ଚିନିଶିଳ୍ପ ଲିଃର ପରିଚାଳନା ପରିଷଦର ସଦସ୍ୟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବରାଡ, ସମାଜସେବୀ ଭି.ସୁରେନ୍ଦ୍ର ରେଡି, କୃତିବାସ ପାଣିଗ୍ରାହୀ, ଶିବଶଙ୍କର ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ, ସିଦ୍ଧେଶ୍ୱର ନାୟକ ପ୍ରମୁଖ ଅନୁରୋଧ କରିଥିବା ଜଣାପଡିଛି । ଅତୀତରେ କମ୍‍ ଉପସ୍ଥାନ ଥିବା କାରଣରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବା ସାଙ୍ଗକୁ ଉକ୍ତ ବିଦ୍ୟାଳୟକୁ ମାଗୁରା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ନିଜ ଅଞ୍ଚଳରେ ପୁଣି ବିଦ୍ୟାଳୟ ଖୋଲିବା ଲାଗି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବା ପରେ ଏହି ସମସ୍ୟାକୁ ବିଚାରକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ପୁନଃ ବିଦ୍ୟାଳୟ ଖୋଲିବା ଲାଗି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷ ଯଦି ଆସିକା ଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତି ତେବେ ବନ୍ଦ ଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବାର ବାଟ ଫିଟିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ଧୋବାଡି ଗ୍ରାମରେ ରହୁଥିବା ବିଦ୍ୟାର୍ଥୀମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସାଙ୍ଗକୁ ଦୀର୍ଘ ବର୍ଷ ଧରି ବନ୍ଦ ହୋଇରହିଥିବା ଧୋବାଡି ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଇଥିବା ଦେଖିବାକି ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ