ସବୁଠି ଗଜାନନଙ୍କ ଆରାଧନା, ଝଲସୁଛି ବିଭିନ୍ନ ପୂଜା ମଣ୍ଡପ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସୋମବାର ଦିନ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ ଆନନ୍ଦଉଲ୍ଲାସର ସହ ବିଘ୍ନବିନାଶକଙ୍କ ପୂଜାତ୍ସବ ପାଳିତ ହେଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ସାହି, ଛକ ଏବଂ ଘରେ ଘରେ ନିଷ୍ଠାର ସହ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଉଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକେ ଏକାଠି ହୋଇ ଉତ୍ସାହ ଓ ଉଲ୍ଲାସର ସହ ଏହି ପବିତ୍ର ପର୍ବ ପାଳନ କରୁଛନ୍ତି। ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ପୂଜା ମଣ୍ଡପ ଭକ୍ତଙ୍କୁ ଆକର୍ଷିତ କରୁଛି। ବୈଦିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇଉଠିଛି। ଛତ୍ରପୁର ପ୍ରେସ କ୍ଲବ ପରିସରରେ ଆୟୋଜିତ ଗଣେଶ ପୂଜାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ରାଧେଶ୍ୟାମ ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କ୍ଳବ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମସ୍ତେ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିଥିଲେ। ସେହିପରି ବ୍ୟାରେକ ସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିର, ଗୋପବନ୍ଧୁନଗର, ଗିଲଟିପେଟା ସାହି, ୟୁରୋ ସ୍କୁଲ, ଷ୍ଟେସନ ରୋଡ଼ ଓ ବିଭିନ୍ନ ଛକ ସମେତ ସହରର ଅନେକ ସାହିରେ ବହୁ ଆଡ଼ମ୍ବରରେ ଶ୍ରୀଗଣେଶଙ୍କ ପୂଜା ଆୟୋଜିତ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ବେଳେ ସମଗ୍ର ଛତ୍ରପୁର ସହର ଗଣେଶମୟ ହୋଇପଡ଼ିଛି।


