ଅନ୍ୟ ସ୍ତ୍ରୀକୁ ଧରି ସ୍ବାମୀ ଫେରାର: ଥାନାରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) :ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ରାଜେନ୍ଦ୍ର ପ୍ରଧାନ ଙ୍କ ଝିଅ ଚାନ୍ଦିନୀ ଙ୍କୁ ଡେଙ୍ଗାଓସ୍ତା ଗ୍ରାମରେ ରହୁଥିବା ପାଟପୁର ଥାନା ପଦ୍ମପୁର ଗ୍ରାମର ତାଙ୍କ ସ୍ଵାମୀ ଜିତେନ୍ଦ୍ର ଜାନି  ,ଶାଶୁ,ଶ୍ବଶୁର ଅଧିକା ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଗର୍ଭାବସ୍ଥାରେ ମାଡ଼ ମାରିବାରୁ ସେ ବାପ ଘରକୁ ଚାଲି ଆସିଥିଲେ।ସେଠାରେ ତାଙ୍କ ର ଏକ ପୁତ୍ର ସନ୍ତାନ ହୋଇଥିଲା। ଗତ ୪ ତାରିଖରେ ସ୍ବାମୀ ଜିତେନ୍ଦ୍ର ଜକମେରି ପଲ୍ଲୀ ଗ୍ରାମର ମିନି ବେହେରା ନାମ୍ନୀ ଏକ ଝିଅ ଙ୍କୁ ନେଇ ଫେରାର ହୋଇଯାଇଥିବା  ନେଇ ଅଭିଯୋଗ ହୋଇଛି। ଚାନ୍ଦିନୀ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୮୭/୨୬ ବିଏନଏସ ର ଦଫା -୮୫/୮୨(୧)/୩୫୧(୨)/୧୧୫(୨)/୩(୫) ଏବଂ ଯୌତୁକ ନିରୋଧ ଆଇନ ର ଧାରା – ୪ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ୨୦୨୨ ମସିହାରେ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମର ପୁରୁଷୋତ୍ତମ ଜାନି  ଙ୍କ ପୁଅ ଜିତେନ୍ଦ୍ର ଙ୍କୁ ଚାନ୍ଦିନୀ ବିବାହ କରିଥିଲେ।ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ସମସ୍ତ ଯୌତୁକ ସାମଗ୍ରୀ ସମେତ ପ୍ରାୟ ଦେଢ଼ଭରି ଓଜନର ସୁନା ମୁଦି, ସୁନା ଚେନ୍ ଓ ନଗଦ ୫୫ ହଜାର ଟଙ୍କା ଦିଆଯାଇଥିଲା। ବିବାହର କିଛି ଦିନ ପରେ ତାଙ୍କୁ ଅଧିକା ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଆସବାବ ପତ୍ର ,ନଗଦ ଟଙ୍କା ବାପା ଘରୁ ଆଣିବା ପାଇଁ ନିର୍ଯ୍ୟାତନା ଦିଆଯାଇଥିଲା। ଏପରିକି ସେ ଗର୍ଭବତୀ ଥିବା ସମୟରେ ତାଙ୍କୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଆବଶ୍ୟକ ଚିକିତ୍ସା ପାଇଁ ଡାକ୍ତରଖାନା ମଧ୍ୟ ନେଇନଥିଲେ।ଖାଇବାକୁ ନଦେଇ ମାଡ଼ ମାରିବାରୁ ଚାନ୍ଦିନୀ ତାଙ୍କ ବାପା ଙ୍କୁ ଡ଼କାଇଥିଲେ।ବାପା ତାଙ୍କ ଘରେ ପହଞ୍ଚି ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ସେ ବାପ ଘରକୁ ପଳାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ସମୁଦାୟ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ