ମୃତଦେହକୁ ନେଇ ଶ୍ମଶାନକୁ ଯାଉଥିଲେ: ଟ୍ରକ୍ ଧକ୍କାରେ ୪ ମହିଳାଙ୍କ ସମେତ ୫ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ର ପୋଡ଼ାମାରି ନିକଟ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତା ରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଏକ ଦ୍ରୁତଗାମୀ ଟ୍ରକ (ନଂ. ଓଡ଼ି ୦୫ ଏଇ -୧୩୬୬) ଧକ୍କାରେ ୪ ମହିଳା ଙ୍କ ସମେତ ସମୁଦାୟ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆହାତ ମାନେ ହେଲେ ରାଜନାପଲ୍ଲୀ ଗ୍ରାମର ଲକ୍ଷ୍ମୀ ମଲ୍ଲିକ(୨୮), ଶ୍ୟାମ ମଲ୍ଲିକ(୨୭),ରଶ୍ମିତା ମଲ୍ଲିକ(୪୦),ନମିତା ମଲ୍ଲିକ(୩୯), ରୀନା ମଲ୍ଲିକ(୪୦)। ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସେମାନେ ମୃତଦେହ କୁ ନେଇ ଶ୍ମଶାନ କୁ ଯାଉଥିଲେ। ରାୟଗଡ଼ା ରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତି ରେ ଯାଉଥିବା ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ଲୋକଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା। ଖବରପାଇ ତପ୍ତପାଣି ରୁ ଫେରୁଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଦୁର୍ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତର ଙ୍କୁ ତାଙ୍କ ଗାଡ଼ି ରେ ନେଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଅନ୍ୟ ୨ ଗୁରୁତରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଆହାତ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ତଦନ୍ତ ଚଳାଇଛନ୍ତି।


