ଭକ୍ତବତ୍ସଳା ମା କରଞ୍ଜେଇଙ୍କ ପୀଠରେ ନବରାତ୍ରୀ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍) :ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନମ୍ବର ଜାତୀୟ ରାଜପଥର ଆସିକା ଠାରୁ ମାତ୍ର ୮ କିଲୋମିଟର ଦୂରରେ ପାକିଡି ପାହାଡର ପାଦଦେଶରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ପ୍ରସିଦ୍ଧ ଐତିହାସିକ ଅଧୀଷ୍ଠାତ୍ରୀ ଦେବୀ ଭକ୍ତବତ୍ସଳା ମା କରଞ୍ଜେଇଙ୍କ ପୀଠରେ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରୁ ମହାଆଡମ୍ବରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଉତ୍ସାହ ଓ ଉଦ୍ଦୀପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ନବରାତ୍ରୀ ପୂଜାକୁ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ସକାଶେ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଗଂଜାମ ଜିଲ୍ଲାର ଅନନ୍ୟ ଆଦିଶକ୍ତି ମା କରଞ୍ଜେଇଙ୍କ ଅପାର ମହିମାରୁ ଏହି ପୀଠକୁ ବର୍ଷତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏହି ପୁରାତନ ମା କରଞ୍ଜେଇଙ୍କ ପୀଠର ସ୍ୱତନ୍ତ୍ରତା ବିଷୟରେ କିଏ ଅବା ନଜାଣେ । କରୁଣାମୟୀ ମା କରଞ୍ଜେଇଙ୍କ ମନ୍ଦିରର ଇତିହାସ ଯେତିକି ପୁରୁଣା କିମ୍ବଦନ୍ତୀ ବି ବେଶ୍ ଜୀବନ୍ତ ମନେ ହୁଏ । ଆସିକା ନିକଟସ୍ଥ ପାକିଡି ପାହାଡରେ ଜଗତ୍ଜନନୀ ମା କରଞ୍ଜେଇଙ୍କ ମନ୍ଦିର ଅବସ୍ଥିତ । ଦୈନିକ ଏଠାରେ ଶହ ଶହ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ବିଗତ କିଛି ବର୍ଷ ହେଲା ମନ୍ଦିର ପରିଚାଳନା କମିଟିର ନିଷ୍ଠା, ତ୍ୟାଗ ଓ ଏକମନ ଏକ ପ୍ରାଣର କାର୍ଯ୍ୟଧାରା ଯୋଗୁଁ ମା କରଞ୍ଜେଇଙ୍କ ମନ୍ଦିରର ଯଥେଷ୍ଟ ଉନ୍ନତି ଘଟିଛି । ବିଶ୍ୱାସର ପ୍ରତୀକ ମା କରଞ୍ଜେଇଙ୍କ ପୀଠର ନବରାତ୍ରୀ ପୂଜା ଅନନ୍ୟ । ପାର୍ବଣ ଋତୁରେ କରୁଣାମୟୀ ମା ଖମ୍ବେଶ୍ୱରୀଙ୍କୁ ପୂଜାର୍ଚ୍ଚନା ଓ ଆଶିଷ ଭିକ୍ଷା ପାଇଁ ନବଦିନବ୍ୟାପୀ ହେଉଥିବା ପୂଜାର୍ଚ୍ଚନାରେ ଯୋଗଦେବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ମା କରଞ୍ଜେଇଙ୍କ ପୀଠରେ ଭକ୍ତ ଯଦି ନିଷ୍ଠାର ସହ ଘିଅଦୀପଟିଏ ଜାଳି ପୂଜାର୍ଚ୍ଚନା କରିଥାଏ ତେବେ କରୁଣାମୟୀ ନିଶ୍ଚିତ ଭାବେ ଭକ୍ତର ମନବାଞ୍ଛା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ୍ଷ ଠାକୁରାଣୀ ହେଉଛନ୍ତି ଆରାଧ୍ୟ ଦେବୀ ମା କରଞ୍ଜେଇ । ଯେଉଁଠି ପଥଚାରୀ ହୁଅନ୍ତୁ କିମ୍ବା ଯାତ୍ରୀବାହୀ ବସ୍ ଅବା ବିଭିନ୍ନ ଯାନବାହାନ ଆସିକା-ବ୍ରହ୍ମପୁର କିମ୍ବା ବ୍ରହ୍ମପୁର-ଆସିକା ଏହି ରାସ୍ତା ଅତିକ୍ରମ କରିବା ବେଳେ ମନ୍ଦିରର ମୁଖଶାଳା ନିକଟରେ କିଛି ମିନଟ ଅଟକି ଶୁଭ ମନାସି ଓ ପ୍ରଣିପାତ କରି ଯାତ୍ରା କରିଥାନ୍ତି । କରୁଣାମୟୀ ମା କରଞ୍ଜେଇଙ୍କ ନାମ ସୁମରଣ କରି ଆଗକୁ ବଢିଲେ ପଥଚାରୀ ତଥା ଯାତ୍ରୀମାନଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ବିନା ବାଧାବିଘ୍ନରେ ଘରେ ପହଞ୍ଚିଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି । ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରୁ କରୁଣାମୟୀ ମା କରଞ୍ଜେଇଙ୍କ ପୀଠରେ ଆରମ୍ଭ ହେବାକୁ ଥିବା ନବରାତ୍ରୀ ପୂଜାକୁ ବିଧିବିଧାନ ଅନୁଯାୟୀ ସଂପନ୍ନ କରିବା ସକାଶେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ଶିବରାମ ଉପାଧ୍ୟାୟ, ସଂପାଦକ ଅନନ୍ତ ପ୍ରସାଦ ପାଢୀ, କାଳୀଚରଣ ବେହେରା, ଲମ୍ବୋଦର ଦାଶ, ଗୌତମ ନାହାକ, ଗନ୍ଧିଆ ପଣ୍ଡା, ସୁଧୀର ବେହେରା, ଗୋକୁଳ ସାହୁ, ଦୀପୁ ପାତ୍ର, ରତ୍ନକାର ଷଡଙ୍ଗୀ, ଦେବାନନ୍ଦ ଦାଶ, କୁମର ସ୍ୱାଇଁ, ଶଙ୍କର ସାହୁ, ଗୁରୁନାଥ ପୋଲାଇ, ବାବୁ ବେହେରା, କରୁଣାକର ଦାଶ, ଶରତ ଚନ୍ଦ୍ର ଦାଶଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି । ଗଂଜାମ ଜିଲ୍ଲାର ଅନ୍ୟତମ ଆରାଧ୍ୟ ଦେବୀ ମା କରଞ୍ଜେଇଙ୍କ ମହିମା ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଆସିଛି । ମା କରଞ୍ଜେଇ ଠାକୁରାଣୀଙ୍କ ପୀଠକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା-ବ୍ରହ୍ମପୁର ଜାତୀୟ ରାଜପଥର ଆସିକା ଠାରୁ ମାତ୍ର ୮ କିଲୋମିଟର ଦୂରସ୍ଥ ପାକିଡି ପାହାଡର ପାଦଦେଶରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା’ କରଞ୍ଜେଇଙ୍କ ପୀଠ ଅନ୍ୟତମ । ମା’ କରଞ୍ଜେଇଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା’ କରଞ୍ଜେଇ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଜଗତ୍ଜନନୀ, ଶକ୍ତିପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା’କରଞ୍ଜେଇ ଠାକୁରାଣୀଙ୍କ ଇତିହାସ ଅତି ପ୍ରାଚୀନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ କରଞ୍ଜେଇଙ୍କ ପୀଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନ୍ୟତମ ଆକର୍ଷଣ । ବର୍ଷତମାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଭକ୍ତମାନେ ମା’ କରଞ୍ଜେଇଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ନିମନ୍ତେ ଆସିଥାନ୍ତି । କରୁଣାମୟୀ, କଲ୍ୟାଣମୟୀ, ଭକ୍ତବତ୍ସଳା, ଦୁଃଖହାରିଣୀ ମା କରଞ୍ଜେଇଙ୍କ ମହିମା ଅପାର ହୋଇଥିବା ଯୋଗୁଁ ବର୍ଷତମାମ ଏହି ପୀଠକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।


