ତାଲୁକା ଛକ ପୂଜା ମଣ୍ଡପରେ ବିଘ୍ନ ବିନାଶକଙ୍କୁ ଆରାଧନା
ଆସିକା (ୱାଇଏନ୍ଏସ୍): ଅଗ୍ରପୂଜ୍ୟ, ବିଘ୍ନ ବିନାଶକ, ସିଦ୍ଧିଦାତା, ପାର୍ବତୀ ନନ୍ଦନ, ବିଘ୍ନହର୍ତ୍ତାଙ୍କ ଗଣେଶ ପୂଜା ପାଇଁ ଆସିକା ପୌର ପରିଷଦ ଅଧୀନସ୍ଥ ୧୦ ନମ୍ବର ୱାର୍ଡର ତାଲୁକା ଛକ ପୂଜାମଣ୍ଡପ ଉତ୍ସବ ମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ତାଲୁକା ଛକ ପୂଜାମଣ୍ଡପରେ ବିରାଜିଛନ୍ତି ବିଘ୍ନ ବିନାଶକ । ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ତାଲୁକା ଛକ ପୂଜା ମଣ୍ଡପ ମୁଖରିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧିନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର୍ ତଥା ଆଧ୍ୟାତ୍ମିକପ୍ରେମୀ ଶ୍ରୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ଶ୍ରଦ୍ଧାଳୁ ଭକ୍ତ ବନ୍ଦିତା ପ୍ରଧାନ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବିଘ୍ନ ବିନାଶକଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବିଦ୍ୱାନ ପଣ୍ଡିତ କାହ୍ନୁଚରଣ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ପୂଜାମଣ୍ଡପ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧୀନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ବିରାଜିଥିବା ଅଗ୍ରପୂଜ୍ୟ ଗଣେଶଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଆତ୍ମା ପୁଲକିତ ହେବା ସହ ଚର୍ମନେତ୍ର ପବିତ୍ର ହୋଇପଡୁଥିବା ପରିଲକ୍ଷିତ ହେଉଛି । ଶ୍ରଦ୍ଧାଳୁ ଭକ୍ତମାନେ ବିଘ୍ନ ବିନାଶକଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଅଭିଭୂତ ହୋଇପଡୁଛନ୍ତି । ଆସିକା ପୌର ପରିଷଦ ଅଧୀନସ୍ଥ ତାଲୁକା ଛକ ଅଞ୍ଚଳର ଯୁବ ମୁର୍ତ୍ତୀ କାରିଗର ସନ୍ତୋଷ କୁମାର ନାହାକ ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ହାତର ଯାଦୁରେ ନିର୍ମିତ ହୋଇ ପୂଜାମଣ୍ଡପରେ ପୂଜା ପାଉଥିବା ଅଗ୍ରପୂଜ୍ୟ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତୀ ବେଶ୍ ମନଲୋଭା ହୋଇଥିବା ଚର୍ଚ୍ଚା ହେଉଛି । ତାଲୁକା ଛକ ପୂଜାମଣ୍ଡପରେ ଘଣ୍ଟା ଘଣ୍ଟ, ହରିବୋଲ ହୁଳହୁଳି ଓ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତ କାହ୍ନୁଚରଣ ତ୍ରିପାଠୀଙ୍କ ଗଣେଶ ବନ୍ଦନା ସ୍ତୋତ୍ର ଓ ମନ୍ତ୍ରଧ୍ୱନୀରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି । ତାଲୁକା ଛକ ଗଜାନନଙ୍କ ପୂଜାମଣ୍ଡପ ଶ୍ରଦ୍ଧାଳୁ ଭକ୍ତଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଓ ହରେକୃଷ୍ଣ ମଲିିକ, ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ନିର୍ଦ୍ଦେଶିକା ଶ୍ରୀମତୀ ରିଙ୍କି ପୋଲାଇ, ଆସିକା ପୌର ପରିଷଦର ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ ଓ ବର୍ତ୍ତମାନର କାଉନସିଲର ଶ୍ରୀମତୀ ବନ୍ଦିତା ପ୍ରଧାନ, କଂଗ୍ରେସ ନେତ୍ରୀ ସୁଦିପ୍ତା ଦାଶ, ଯୁବ ବିଜେଡି ନେତା କେଶବ ଦାଶ, ସମାଜସେବୀ ଆଶୁତୋଷ ସାହୁ ପ୍ରମୁଖ ତାଲୁକା ଛକ ପୂଜାମଣ୍ଡପରେ ପହଞ୍ଚି ପ୍ରଭୂ ପାର୍ବତୀ ନନ୍ଦନଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା । ତାଲୁକା ଛକ ଗଣେଶ ପୂଜା ମଣ୍ଡପର ସାଜସଜା ଓ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ବିଘ୍ନ ବିନାଶକ ପ୍ରଭୂ ଗଜାନନଙ୍କ ପୂଜାକୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆସିକା ପୌର ପରିଷଦ ଅଧୀନସ୍ଥ ତାଲୁକା ଛକ ପୂଜାମଣ୍ଡପରେ ଧରାପୃଷ୍ଟକୁ ଅବତରଣ କରି ବିରାଜମାନ ହୋଇଥିବା ଅଗ୍ରପୂଜ୍ୟଙ୍କୁ ଆରାଧନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଏହି ଗଣେଶ ପୂଜାକୁ ସୁପରିଚାଳନା କରିବା ପାଇଁ ଆଧ୍ୟାତ୍ମିକପ୍ରେମୀ ମନମୋହନ ମୁନି, ବିଷ୍ଣୁପ୍ରସାଦ ମୁନି, ଶତୃଘ୍ନ ନାହାକ, ଜଗା ସ୍ୱାଇଁ, ବୁଲୁ ସାହୁ, ଲକି ସେଠୀ, ବିବେକ ପ୍ରସାଦ ମୁନି, ଦିପୁ ସାହୁ, ବସନ୍ତ ନାହାକ, ପଙ୍କଜ ଗୌଡ, ଚନ୍ଦନ ଗୌଡ, ଅମନ ପାତ୍ର, ପ୍ରଦୀପ ପାତ୍ର, ରାକେଶ ଗୌଡ, ଭଗବାନ ସ୍ୱାଇଁ, ନାରାୟଣ ନାହାକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବପିଢୀ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି ।


