ସରକାରୀ ଶ୍ମଶାନ ଜମିକୁ ଜବରଦଖଲ କରି ଗୃହ ନିର୍ମାଣ ଅଭିଯୋଗ
ଧାମନଗର (ଓ୍ବାଇଏନଏସ): ରାଜ୍ୟରେ ଆମ ସରକାରର ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ ଜମିକୁ ଜଵରଦଖଲ ମୁକ୍ତ କରିବା ସହିତ ସେସବୁକୁ ସରକାରୀ ରେକଡ ଭୁକ୍ତ କରିବା ଉଦ୍ଦଶ୍ୟରେ କଢା ଆଭିମୁଖ୍ୟ ନେଵା ସହିତ ସମସ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରିବା ସହିତ ଵହୁ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଧାମନଗର ତହସିଲ ଅଧିନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଖୋଦ ସରକାରୀ ଦଳର ଦାୟିତ୍ୱରେ ଥିବା ନେତା ଓ କର୍ମୀମାନେ ଏହି ନିର୍ଦ୍ଦେଶ କୁ ମାନୁ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ କେଉଁଠି ଶ୍ରୀ ଜଗନ୍ନାଥଙ୍କ ଜମି ଉପରେ କମ୍ୟୁନିଟି ସେଣ୍ଟର ଓ ରାସ୍ତା ନିର୍ମାଣ ହୋଇଛି ତ କେଉଁଠି ସରକାରୀ ଶ୍ମଶାନ ଜମିକୁ ଜବରଦଖଲ ସହ ଜୋର ଜବରଦସ୍ତ ରାତିଦିନ ଏକ କରି ଗୃହ ନିର୍ମାଣ କରୁଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଧାମନଗର- ଭଦ୍ରକ ମୁଖ୍ୟ ରାସ୍ତା କଡ ଭଣ୍ଡାରିପଦି ଠାରେ ଧାମନଗର ରାଜସ୍ବ ନିରୀକ୍ଷକଙ୍କ ଅଧିନରେ ଥିବା ଏନ ଏ ସି ଅନ୍ତର୍ଗତ ଜୟନଗର ୧ ନମ୍ବର ୱାର୍ଡ ଅଧିନ ଜୟନଗର ମୌଜା ଖାତା ନମ୍ବର ୧୨୫୪ ଓ ପ୍ଲଟ ନମ୍ବର ୧୧୦୬ ଶ୍ମଶାନ କିସମ ଜମିରେ ବେଆଇନ ଭାବେ ଅଫିସ ଛୁଟିର ସୁଯୋଗ ନେଇ ରାତି ଦିନ ଏକ କରି ତରବରିଆ ଭାବେ ଗୃହ ନିର୍ମାଣ କରିଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ(ଖ)ଫର୍ମ ମାଧ୍ୟମରେ ଯଥାଶୀଘ୍ର ଉଛେଦ କରାଯିବ ବୋଲି ତହସିଲଦାର ଜ୍ଞାନରଞ୍ଜନ ମହାକୁଡ଼ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଜବରଦଖଲ ଉଛେଦ ନିର୍ଦ୍ଦେଶକୁ ଧାମନଗର ତହସିଲଦାର କିଭଳି ପଦକ୍ଷେପ ନେଉଛନ୍ତି ନା କ୍ଷମତାରେ ଚାପି ହେଉଛନ୍ତି ତାହା ସମୟକୁ ଅପେକ୍ଷା।


