ବାଇକ୍ ଧକ୍କାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ, ୬ ଜଣଙ୍କ ନାମରେ ମାମଲା ରୁଜୁ
ଧାମନଗର (ଓ୍ବାଇଏନଏସ): ବାଇକ୍ ଧକ୍କାକୁ କେନ୍ଦ୍ର କରି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନା ପୁଲିସ ୬ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ପୁଲିସ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ କାଜିମହଲ୍ଲାର ସେକ୍ ଅବୁତାର ଅଲ୍ଲୀ ନିଜ ବାଇକରେ ନାହାଜର କିଲ୍ଲାରୁ ଘରକୁ ଫେରୁଥିବାବେଳେ ଚୁନୁପଡ଼ା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ବାଇକରେ ଥିବା ସେକ୍ ଆରିଫ୍ ଓ ମିର୍ ପପୁଙ୍କୁ ଏନେଇ ପଚାରିବାରୁ ଉଭୟେ ତାଙ୍କୁ ଗାଳିଗୁଲଜ କରିବା ସହ ବାଇକ୍ ଚାବିରେ ମୁହଁକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଅବୁତାର ଗୁରୁତର ଆହତ ହୋଇ ରକ୍ତସ୍ରାବ ହୋଇଥିଲା।ଘଟଣା ସମ୍ପର୍କରେ ଅଭିଭାବକଙ୍କୁ ଜଣାଇବା ପରେ ସେମାନେ ମଧ୍ୟ କାଠ ଫାଳିଆରେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅବୁତାର ଏତଲାରେ ଦର୍ଶାଇଛନ୍ତି। ଏନେଇ ଧାମନଗର ଥାନାରେ ଏଫଆଇଆର ନଂ ୪୦୫/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ମୁଲାନାସାହିର ସେକ୍ ଆରିଫ୍ (୨୨), ମିର୍ ପପୁ (୩୫), ମିର୍ ରିଙ୍କୁ (୨୮), ମିର୍ ରାଇବର (୩୦),ମୁନସିପାଟଣାର ସେକ୍ ପପୁ ଓ ହବିବନଗରର ସେକ୍ ସୁରଜ। BNSର ଧାରା ୧୧୫(୨), ୧୨୬(୨), ୨୯୬, ୩(୫) ଓ ୩୫୧(୨)ରେ ମାମଲା ରୁଜୁ ହୋଇଛି। ଥାନାଧିକାରୀ ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଶିବଶଙ୍କର ଖିଲାର ତଦନ୍ତ କରୁଛନ୍ତି।


