କୋହଲା ପାଗ ସାଙ୍ଗକୁ ଲାଗିରହିଛି ତୁହାକୁ ତୁହା ବର୍ଷା: ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍

ଆସିକା (ୱାଇଏନ୍‍ଏସ୍‍) : ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ମଙ୍ଗଳବାର ଆସିକା ଅଞ୍ଚଳରେ ପାଗ କୋହଲା ରହିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବାତ୍ୟା ସ୍ଥଳଭାବ ଛୁଇଁବା ପରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ଆସିକା ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା କରିବା ସହ ଲୋକଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଓ ଜିରୋ କାଜୁଆଲ୍‍ଟିକୁ ପ୍ରାଥମିକତା ଦେବା ପାଇଁ ଆସିକାରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ସଫଳ ମୁକାବିଲା କରିବା ପାଇଁ ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଏବଂ ଶୁଭଦର୍ଶିନୀ ରାଉତରାୟ, ଯୋଗାଣ ନୀରିକ୍ଷକ ସର୍ମିଷ୍ଟା ଦଳବେହେରା, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ଏବଂ ଶିବରାମ ବେହେରା, ଜଳସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ କେ.ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ସୁଶାନ୍ତ କୁମାର ଭୂୟାଁ, ଆସିକା ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାଲ୍‍ଗୋପାଳ ବେହେରା, ଆସିକା କୃଷିଜିଲ୍ଲା ଅଧିକାରୀ ସତ୍ୟବ୍ରତ ଦାଶ, ବ୍ଳକ କୃଷି ଅଧିକାରୀ ବିଶ୍ୱନାଥ ବେହେରା ଓ ସହକାରୀ କୃଷି ଅଧିକାରୀ ଜଗଦିଶ୍‍ ଚୌଧୁରୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା, ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀ, ଆସିକା ବନାଂଚଳ ଅଧିକାରୀ ଅନିଲ୍‍ କୁମାର ପଣ୍ଡା, ବନପାଳ ଶରତ ଚନ୍ଦ୍ର ବେହେରା, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକାର ଅତିରିକ୍ତ ଥାନା ଅଧିକାରୀ ସୌମ୍ୟରଂଜନ ଜେନା, କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ, ଆସିକା ଅଗ୍ନିଶମ ସେବା କେନ୍ଦ୍ରର କେନ୍ଦ୍ର ଅଧିକାରୀ ସନତ୍‍ ପ୍ରଧାନ ଓ ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଟିପିଏସ୍‍ଓଡିଏଲ୍‍ ଆସିକା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଜଗତଜିତ୍‍ ଦାଶ ମହାପାତ୍ର, ବିଭାଗୀୟ ଯନ୍ତ୍ରୀ ଇଂ କାଳୀଚରଣ ନନ୍ଦ, ଇଂ ବିଜୟ ଶଙ୍କର ପଣ୍ଡା, ଇଂ ରାକେଶ କୁମାର ପାତ୍ର, ଇଂ ରଂଜନ କୁମାର ମହାପାତ୍ର, ଇଂ ପରମ୍‍ଜିତ୍‍ ଦାଶଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ସଫଳ ମୁକାବିଲା ପାଇଁ ôଗୃହପାଳିତ ପଶୁଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା, ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା, ପର୍ଯ୍ୟାପ୍ତ ପରିମାଣର ଓଆର୍‍ଏସ୍‍ ଏବଂ ଔଷଧ ମହଜୁଦ୍‍ ରଖିବା, ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଓ ଡାକ୍ତରୀ ସେବାକୁ ଗୁରୁତ୍ୱ ଦେବା, ବୁଲାପ୍ରାଣୀଙ୍କୁ ସେବା ଦେବା, ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ସହ ଅଗ୍ନିଶମ ସେବା ସଂସ୍ଥାକୁ ସହଯୋଗ କରିବା, ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇଦେବା, ଆବଶ୍ୟକ ପଡିଲେ ଅସ୍ଥାୟୀ ଅଶ୍ରୟସ୍ଥଳୀ ସଂଖ୍ୟା ବୃଦ୍ଧି କରିବା, ସମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଚ୍ଛିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବା, ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା କରିବା ଓ ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ପାଣି ଯୋଗାଇଦେବା ସମେତ ବିଭିନ୍ନ ମୌଳିକ ଆବଶ୍ୟକତା ଉପରେ ପ୍ରଶାସନ ସର୍ବାଧିକ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଇଛି । ସମ୍ଭାବ୍ୟା ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଜନଜୀବନର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ଓ ଦମକଳ ବାହିନୀ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ସଜାଗ୍‍ ହୋଇରହିଥିବା ଲକ୍ଷ୍ୟ କରାଯାଉଛି । ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ତୁରନ୍ତ ସହାୟତା ପାଇଁ ଆସିକା ବ୍ଳକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ