ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର “ଅଦମ୍ୟ” ଇଟାଲୀରେ ପୁରସ୍କୃତ
ଆସିକା (ୱାଇଏନ୍ଏସ୍): ଇଟାଲୀରେ ଚଳିତବର୍ଷ ମହାଆଡମ୍ବରରେ ଆୟୋଜିତ ହୋଇଥିବା ମ୍ୟାଜିକାଲ୍ କାଇରୋ ମଣ୍ଟେନୋଟ୍ଟେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬ ରେ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ପୁରସ୍କୃତ ହୋଇଥିବା ଜଣାପଡିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଲେଖକ, କାହାଣୀକାର ତଥା ଆସିକା ଡାକମଣ୍ଡଳର କର୍ମଚାରୀ ସିମାଞ୍ଚଳ ମହାରଣାଙ୍କୁ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ସମ୍ବର୍ଦ୍ଧିତ କରିବା ସାଙ୍ଗକୁ ଉତ୍ତରୋତ୍ତର କାମନା କରିଥିବା ଜଣାପଡିଛି । ୟୁରୋପ ମହାଦେଶର ଇଟାଲୀ ଦେଶରେ ଚଳିତମାସରେ ଅନୁଷ୍ଠିତ ହୋଇଥିବା ମ୍ୟାଜିକାଲ୍ କାଇରୋ ମଣ୍ଟେନୋଟ୍ଟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟର କାହାଣୀକାର ଭାବେ ଜୁରି ପୁରସ୍କାର ଗ୍ରହଣ କରିବା ଫେରିବା ପରେ ଲେଖକ ସିମାଞ୍ଚଳ ମହାରଣାଙ୍କୁ ଆସିକା ବିଧାୟକ ସରୋଜ କୁମାର ପାଢୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଙ୍ଗୀତ୍ କୁମାର ପାଢୀ, ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପ୍ରାକ୍ତନ ସଂପାଦକ ନିରଞ୍ଜନ ମହାନ୍ତି, ସମାଜସେବୀ ଭଗବାନ ସାହୁ ଏବଂ ଶିବ କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । କାହାଣୀକାର ତଥା ଲେଖକ ସିମାଞ୍ଚଳ ମହାରଣାଙ୍କ ଏହି ଉଲ୍ଲେଖନୀୟ କୃତିତ୍ୱ ସମଗ୍ର ଆସିକା କାହିଁକି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । କଳା ଓ କଳାକାରମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଦାସର୍ବଦା ଚେଷ୍ଟିତ ଥିବା ଆସିକା ବିଧାୟକ ସରୋଜ କୁମାର ପାଢୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟର ଲେଖକ ତଥା ଆସିକା ଡାକମଣ୍ଡଳର କର୍ମଚାରୀ ସିମାଞ୍ଚଳ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିବା ସାଙ୍ଗକୁ କଳା ଓ ସାହିତ୍ୟକୁ ସଦାସର୍ବଦା ରୁଦ୍ଧିମନ୍ତ କରିରଖିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ଆସିକା ଡାକମଣ୍ଡଳର କର୍ମଚାରୀ ତଥା ଯୁବ ଲେଖକ କାହାଣୀକାର ସିମାଞ୍ଚଳ ମହାରଣାଙ୍କ ରଚିତ ଏବଂ ହିଞ୍ଜିଳିକାଟୁ ସ୍ଥିତ ଡିକେ ଫିଲ୍ମ ବ୍ୟାନର୍ରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ଇଟାଲୀରେ ଅନୁଷ୍ଠିତ ମ୍ୟାଜିକାଲ୍ କାଇରୋ ମଣ୍ଟେନୋଟ୍ଟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬ ରେ ପ୍ରଦର୍ଶିତ ହୋଇ ଉପସ୍ଥିତ ଶହ ଶହ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଚାରକ ତଥା ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲା । ଭାରତର ଏକମାତ୍ର କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଅଦମ୍ୟ ଏହି ମହୋତ୍ସବରେ ଦୁଇଟି ପୁରସ୍କାର ପାଇଥିବା ଜଣାପଡିଛି । ସୁନ୍ଦର ଓ ଅତ୍ୟାଧୁନିକ ଏବଂ ବିଚକ୍ଷଣ ଚଳଚ୍ଚିତ୍ର ନିର୍ମାଣ ଶୈଳୀ ପାଇଁ ଖ୍ୟାତାନାମା ଚଳଚ୍ଚିତ୍ର ନିର୍ମାତା କ୍ରିଷ୍ଣା ଡିକେଙ୍କୁ ଏବଂ ଭିନ୍ନ ସ୍ୱାଦର କାହାଣୀ ତଥା ଅସାଧାରଣ କଳାତ୍ମକ ଦୃଷ୍ଟି ପାଇଁ କାହାଣୀକାର ତଥା ଲେଖକ ସିମାଞ୍ଚଳ ମହାରଣାଙ୍କୁ ଅତୀତରେ ବହୁବାର ସମ୍ବର୍ଦ୍ଧିତ କରାଯାଇଥିବା ନଜିର୍ ରହିଛି । ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ଇଟାଲୀରେ ପୁରସ୍କୃତ ହେବା ନିଶ୍ଚିତ ଭାବେ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଇଟାଲୀରେ ଅନୁଷ୍ଠିତ ଚଳଚ୍ଚିତ୍ର ମହୋତ୍ସବର ବିଚାରକ ମଣ୍ଡଳୀରେ ଖ୍ୟାତାନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମିଷ୍ଟେରୀ ଗେଷ୍ଟ ଓ ଏଡ୍ୱାର୍ଡ ଓଡ୍ରେଷ୍ଟର୍ ଏବଂ ତ୍ରାସିଭାନ୍ ଏଇକ୍ ଓ ମିସେଲ୍ ଜସିଆ ଏବଂ ପାଟ୍ରିକ୍ ସ୍କୁଲଚ୍ ଓ ଆଣ୍ଡୁଭାଣ୍ଡାଇଲେ ପ୍ରମୁଖ ରହିଥିବା ଜଣାପଡିଛି ।


