ସରକାରୀ ଗାଡ଼ିର ଅବ୍ୟବସ୍ଥିତ ରକ୍ଷଣାବେକ୍ଷଣ : ଖରା-ବର୍ଷାରେ ପଡ଼ି ନଷ୍ଟ ହେଉଛି ପୁଲିସ ଗାଡ଼ି
କଟକ, (ଓ୍ବାଇଏନଏସ): ପୁଲିସ ବିଭାଗର ସରକାରୀ ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣକୁ ନେଇ କଟକ ଜିଲ୍ଲାରେ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ଗାଡ଼ିଗୁଡ଼ିକୁ ନିୟମାନୁସାରେ ନିଲାମ କରିବାର ବ୍ୟବସ୍ଥା ଥିବା ସତ୍ତ୍ୱେ ଅନେକ ଗାଡ଼ି ଦୀର୍ଘଦିନ ଧରି ଖୋଲା ଆକାଶ ତଳେ ପଡ଼ି ରହିଛି। ଫଳରେ ଖରା, ବର୍ଷା ଓ ପାଣିରେ ପଡ଼ି ଏହି ସରକାରୀ ସମ୍ପତ୍ତି ଧୀରେଧୀରେ ନଷ୍ଟ ହେଉଛି। ପୁଲିସ ବିଭାଗ ପକ୍ଷରୁ କିଣାଯାଇଥିବା ଗାଡ଼ିର ବ୍ୟବହାର ସମୟ ୧୫ ବର୍ଷ କିମ୍ବା ଅଢ଼େଇ ଲକ୍ଷ କିଲୋମିଟର ଚାଲିବା ପରେ ତାହାକୁ ଅନୁପଯୋଗୀ ବିବେଚନା କରାଯାଏ। ଏଭଳି ଗାଡ଼ିଗୁଡ଼ିକୁ ନଷ୍ଟ ନକରି ନିୟମ ଅନୁଯାୟୀ ନିଲାମ କରିବାର ବ୍ୟବସ୍ଥା ରହିଛି। ତେବେ କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, କଟକ ଗ୍ରାମାଞ୍ଚଳ ପୁଲିସର କେତେକ ଗାଡ଼ିର ବୟସ ୧୫ ବର୍ଷରୁ କମ୍ ଥିଲେ ମଧ୍ୟ ସେଗୁଡ଼ିକ ବ୍ୟବହାରରେ ନଥାଇ ଦୀର୍ଘଦିନ ଧରି ପଡ଼ି ରହିଛି। ରିଜର୍ଭ ପୁଲିସ ଅଫିସ ପରିସର, ପୁଲିସ ମୁଖ୍ୟାଳୟ ନିକଟ ଏବଂ ସେଣ୍ଟ୍ରାଲ୍ ରେଞ୍ଜ୍ ଅଫିସ ନିକଟରେ ଏଭଳି ଅନେକ ପୁରୁଣା ଗାଡ଼ି ଦେଖିବାକୁ ମିଳୁଛି। କେତେକ ଗାଡ଼ିରୁ ଇଞ୍ଜିନ୍ ନଥିବା ବେଳେ ଆଉ କେତେକରୁ ମୂଲ୍ୟବାନ ଯନ୍ତ୍ରାଂଶ ଓ ସରଞ୍ଜାମ ଖୋଲି ନିଆଯାଇଥିବା ଅଭିଯୋଗ ହେଉଛି। ନିଲାମ ପ୍ରକ୍ରିୟା ବିଳମ୍ବିତ ହେବାରୁ ଗାଡ଼ିଗୁଡ଼ିକ ବର୍ଷ ବର୍ଷ ଧରି ଖରା ଓ ବର୍ଷାରେ ପଡ଼ି ରହି ଆହୁରି ଅଚଳ ହୋଇଯାଉଛି। ଏଭଳି ପରିସ୍ଥିତିରେ ସରକାରୀ ସମ୍ପତ୍ତିର ଉପଯୁକ୍ତ ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠିଛି। ଗାଡ଼ିଗୁଡ଼ିକୁ ସମୟୋଚିତ ଭାବେ ନିଲାମ ନକରି ପକାଇ ରଖିବା ପଛରେ କ’ଣ କାରଣ ରହିଛି, ତାହା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପଡ଼ି ରହିଥିବା ଗାଡ଼ିରୁ ମୂଲ୍ୟବାନ ପାର୍ଟସ୍ ଖୋଲି ନେଇ ବିକ୍ରି କରାଯାଉଥିବା ନେଇ କେତେକ ମହଲରେ ଅଭିଯୋଗ ଓ ଚର୍ଚ୍ଚା ରହିଛି। କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅଧୀନରେ ୨୧ଟି ଥାନା ରହିଛି। ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ ପୁଲିସ ଭିତ୍ତିଭୂମି ଦୁର୍ବଳ ଥିବା ଅଭିଯୋଗ ରହିଛି। ଏହା ସତ୍ତ୍ୱେ ଉପଲବ୍ଧ ଭିତ୍ତିଭୂମି ଓ ସରକାରୀ ସମ୍ପତ୍ତିର ଠିକ୍ଭାବେ ରକ୍ଷଣାବେକ୍ଷଣ ହେଉନଥିବା ନେଇ ପ୍ରଶ୍ନ ଉଠିଛି। ଏପରିକି ୧୦ରୁ ୧୨ ବର୍ଷ ପୁରୁଣା ଗାଡ଼ିଗୁଡ଼ିକ ଖରାପ ହୋଇପଡ଼ିଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଉନଥିବା ଅଭିଯୋଗ ହେଉଛି। ନିୟମିତ ରକ୍ଷଣାବେକ୍ଷଣ ଓ ମରାମତିର ଅଭାବରୁ ବ୍ୟବହାରଯୋଗ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଧୀରେଧୀରେ ଅକାମୀ ହୋଇପଡ଼ୁଥିବା କୁହାଯାଉଛି। ଏହି ସମ୍ପତ୍ତିର ସୁରକ୍ଷା ସହ ଅଚଳ ଗାଡ଼ିଗୁଡ଼ିକର ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି ହେଉଛି।


