ମୌଳିକ ସମସ୍ୟାର ସମାଧାନ ଦାବୀରେ ଦସ୍ତଖତ ଅଭିଯାନ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଦାବୀରେ ଶୁକ୍ରବାର ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ତ ଅଞ୍ଚଳବାସୀ, ବୁଦ୍ଧିଜୀବି, ଯୁବ ଗୋଷ୍ଠୀ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା। ବନ୍ତ ପିଏଚସିକୁ ସିଏଚସି ମାନ୍ୟତା ଦେବା, ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ବନ୍ତ ବଜାରରେ ବସ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ କରିବା, ବନ୍ତକୁ ତୁରନ୍ତ ଏନଏସି ଘୋଷଣା କରିବା ଆଦି ବିଭିନ୍ନ ସମସ୍ୟା ନେଇ ଏହି ଦସ୍ତଖତ ଅଭିଯାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ବରିଷ୍ଠ ନାଗରିକ ଗଣେଶ ପ୍ରସାଦ କର ଶର୍ମା, ନାରାୟଣ ଚନ୍ଦ୍ର ଲେଙ୍କା, ଗୌରାଙ୍ଗ ପଣ୍ଡା, ନୃସିଂହ ଚରଣ ପରିଡା, ଶତୃଘ୍ନ ମହାରାଜଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହି ଅଭିଯାନରେ ସାମିଲ ହୋଇ ଦସ୍ତଖତ ପ୍ରଦାନ କରିଥିଲେ। ଫାଲ୍ଗୁନୀ ରାଉତ, ଇଂ. ସୁଧାଂଶୁ ଶେଖର ନାୟକ, ମାର୍କଣ୍ଡ ବେହେରାଙ୍କ ତତ୍ତାବଧାନରେ ଅନୁଷ୍ଠିତ ଏହି ଅଭିଯାନରେ ଜୟଦେବ ମହାରାଜ, ଆଲୋକ ନାୟକ, ଟୁପୁନ ବିଶ୍ୱାଳ, ଜୟ ପ୍ରକାଶ ରାଜ, ରଘୁନାଥ ଖିଲାର, ଖଗେଶ୍ୱର ବରାଳ, ସାଦ୍ଦ ସିଦ୍ଧିକ, ସନ୍ଦୀପ ଜେନା, ସୟଦ ମଇଫୁଜ, ଶ୍ରୀକାନ୍ତ ନାୟକ, ସିଦ୍ଧାନ୍ତ ମହାକୁଡ଼, ଶ୍ରବଣ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ଉପରୋକ୍ତ ଦାବୀ ସମ୍ପର୍କରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିବାର ୧୫ ଦିନ ମଧ୍ୟରେ ଯଦି ସ୍ଥାୟୀ ସମାଧାନ ନହୁଏ, ତେବେ ପ୍ରଶାସନକୁ ଅବଗତ କରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଇଂ. ସୁଧାଂଶୁ ଶେଖର ନାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ