ଝରକା ଗ୍ରିଲ ଭାଙ୍ଗି ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ହାଟଡିହି, (ଓ୍ବାଇଏନଏସ): ନନ୍ଦିପଦା ଥାନା ଅଞ୍ଚଳରେ ଚୋରି ଘଟଣା ବଢ଼ିବାରେ ଲାଗିଥିବା ବେଳେ ଗତକାଲି ରାତିରେ ଚୋରଗଡ଼ିଆ ଛକରେ ଜଣେ ଶିକ୍ଷକଙ୍କ ଘରୁ ଝରକା ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଥିବା ଜଣାପଡ଼ିଛି। ପରିବାର ଲୋକେ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଝରକାର ଗ୍ରିଲ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଘରେ ରଖାଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ନେଇ ଚମ୍ପଟ ମାରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏହାର ମାତ୍ର ଚାରିଦିନ ପୂର୍ବରୁ ବେତିରା ଛକରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଦିନ ଦ୍ୱିପ୍ରହରରେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିଲା। ଲଗାତାର ଚୋରି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ତେବେ ଏହି ଘଟଣା ସମ୍ପର୍କରେ ଥାନାରେ ଏଯାବତ୍ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାଯାଇଛି।


