ଏଥର ଦଶହରାରେ ଯୁବପିଢ଼ିଙ୍କ ହାତରେ ପୂଜା ଦାୟିତ୍ୱ
କଟକ, (ଓ୍ବାଇଏନଏସ): କଟକର ଦଶହରା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ସହରର ସାହି, ସଂଗଠନ ଓ ସାମାଜିକ ଏକତାର ଏକ ପୁରୁଣା ପରମ୍ପରା। ଦଶହରା ପୂଜା କମିଟିଗୁଡ଼ିକର ନେତୃତ୍ୱ ଦୀର୍ଘଦିନ ଧରି ବୟୋଜ୍ୟେଷ୍ଠ ମୁରବିମାନଙ୍କ ହାତରେ ରହିଆସିଥିବା ବେଳେ ଏବେ ସେହି ପରମ୍ପରାରେ ଦେଖାଦେଇଛି ଧୀରେ ଧୀରେ ପରିବର୍ତ୍ତନ। ବରିଷ୍ଠଙ୍କ ଅଭିଜ୍ଞତାକୁ ମାର୍ଗଦର୍ଶନ ଭାବେ ଗ୍ରହଣ କରି ଅନେକ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ଯୁବପିଢ଼ି ସମ୍ଭାଳୁଛନ୍ତି। ଦିନେ ଦିନେ ବଦଳୁଥିବା ସାମାଜିକ ପରିସ୍ଥିତି ସହ କଟକର ପୂଜା କମିଟିଗୁଡ଼ିକର କାର୍ଯ୍ୟଧାରାରେ ମଧ୍ୟ ପରିବର୍ତ୍ତନ ଆସୁଛି। ପୂଜା ଆୟୋଜନ, ମେଢ଼ ନିର୍ମାଣ, ସାଜସଜ୍ଜା ଓ ଭସାଣି ଶୋଭାଯାତ୍ରା ପରିଚାଳନାରେ ଯୁବକମାନେ ପୂର୍ବରୁ ସକ୍ରିୟ ରହୁଥିଲେ। ଏବେ ସେମାନେ କେବଳ ଆୟୋଜନରେ ସୀମିତ ନରହି କମିଟିର ନିଷ୍ପତ୍ତି ନେବା ଓ ପରିଚାଳନାର ପ୍ରମୁଖ ଦାୟିତ୍ୱ ମଧ୍ୟ ନେଉଛନ୍ତି। ହରିପୁର ପୂଜା କମିଟିର ସଭାପତି ଭାବେ ୪୩ ବର୍ଷୀୟ ରାମକୃଷ୍ଣ ହାତୀ ଓ ସମ୍ପାଦକ ଭାବେ ୪୧ ବର୍ଷୀୟ ବିକ୍ରମ ଛାଟୋଇ ଦାୟିତ୍ୱ ନେଇଛନ୍ତି। କନିକାରୋଡ୍-ରାମଗଡ଼ ପୂଜା କମିଟିର ସଭାପତି ୩୭ ବର୍ଷୀୟ ବସନ୍ତ ନାୟକ ଓ ସମ୍ପାଦକ ୪୫ ବର୍ଷୀୟ ଜୟଦେବ ଜେନା। ତୁଳସୀପୁର ଦୁର୍ଗାପୂଜା କମିଟିରେ ୪୫ ବର୍ଷୀୟ ମନୋଜ ସାହୁ ଓ ୩୦ ବର୍ଷୀୟ ସୁଧୀର କୁମାର ସେଠୀ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଦରଘାବଜାର ପୂଜା କମିଟିର ସମ୍ପାଦକ ରାଜକିଶୋର ମିଶ୍ରଙ୍କ ବୟସ ୪୦ ବର୍ଷ। ଅଲିଶାବଜାର ପୂଜା କମିଟିର ସଭାପତି ୩୭ ବର୍ଷୀୟ ସୁକେଶ ବେହେରା ଓ ସମ୍ପାଦକ ୩୯ ବର୍ଷୀୟ ରାକେଶ ଚନ୍ଦ୍ର ବେହେରା। ମାଳିସାହି ପୂଜା କମିଟିର ସମ୍ପାଦକ ଭାବେ ସୁବ୍ରତ ନାୟକ, ବଢ଼େଇସାହି ଗ୍ରାମାଞ୍ଚଳ ପୂଜା ସମିତିର କାର୍ଯ୍ୟକାରୀ ସଭାପତି ଭାବେ ମନୋଜ ମହାରଣା ଓ ଶିକାରୀସାହି ପୂଜା କମିଟିର ସମ୍ପାଦକ ଭାବେ ସରୋଜ କୁମାର ବେହେରା ଯୁବ ନେତୃତ୍ୱର ଉଦାହରଣ ପାଲଟିଛନ୍ତି। କେବଳ ସଭାପତି ଓ ସମ୍ପାଦକ ପଦବିରେ ନୁହେଁ, କୋଷାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମଧ୍ୟ ଯୁବପିଢ଼ିଙ୍କ ଉପସ୍ଥିତି ବଢ଼ିଛି। କଟକଚଣ୍ଡୀ ରୋଡ୍-ଶେଖବଜାର ପୂଜା କମିଟିର କୋଷାଧ୍ୟକ୍ଷ ଭାବେ ଦିଲ୍ଲୀପ ନାରାୟଣ ଗୁଟୁ ଏବଂ ଖଟବିନ୍ସାହି ପୂଜା କମିଟିର କୋଷାଧ୍ୟକ୍ଷ ଭାବେ ପୀତବାସ ଦଳେଇ ଦାୟିତ୍ୱ ନେଇଛନ୍ତି। ତେବେ ଏହି ପରିବର୍ତ୍ତନକୁ କେବଳ ପିଢ଼ି ପରିବର୍ତ୍ତନ ଭାବେ ଦେଖାଯାଉନାହିଁ। ଯୁବପିଢ଼ି ପୂଜା କମିଟିର କାର୍ଯ୍ୟକ୍ରମକୁ ଏକ ବ୍ୟାପକ ସାମାଜିକ ଦାୟିତ୍ୱ ସହ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି। ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ଆର୍ଥିକ ଅନଗ୍ରସର ପରିବାରଙ୍କୁ ସହାୟତା ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଭଳି କାର୍ଯ୍ୟକ୍ରମରେ ଅନେକ କମିଟି ନିଜର ସାମାଜିକ ଭୂମିକା ବଢ଼ାଇଛନ୍ତି।


