ଗୁଣୁପୁରରେ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଡୋର୍-ଟୁ-ଡୋର୍ ସର୍ଭେ ଯାଞ୍ଚ
ଗୁଣପୁର,(ୱାଇଏନଏସ): ଗୁଣୁପୁର ବ୍ଲକ ଏବଂ ପୌରାଞ୍ଚଳରେ ଚାଲିଥିବା ଡୋର୍-ଟୁ-ଡୋର୍ (ଘରକୁ ଘର) ଭୋଟର ତାଲିକା ସର୍ଭେ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଭଗବାନ ବେହେରା କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ କାଳରେ ତାଙ୍କ ସହ ରାୟଗଡ଼ା ଜିଲ୍ଲା ପଞ୍ଚାୟତ ଅଧିକାରୀ (ଡିପିଓ) ଶ୍ରୀ ସୂର୍ଯ୍ୟନାରାୟଣ ମହାରଣା ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ଗୁଣୁପୁର ବ୍ଲକ ଅନ୍ତର୍ଗତ ଚାଳକମ୍ବା ଗ୍ରାମ ପଞ୍ଚାୟତ ସମେତ ଗୁଣୁପୁର ପୌରାଞ୍ଚଳର ବଳରାମ ନଗର, ଆଦର୍ଶ ନଗର ଏବଂ ତ୍ରିନାଥ ମନ୍ଦିର ବୁଥ୍ ଅଞ୍ଚଳ ପରିଦର୍ଶନ କରି ଘରକୁ ଘର ସର୍ଭେ କିଭଳି ଭାବରେ ଚାଲିଛି, ତାର ତଦାରଖ କରିଥିଲେ। ପୌରାଞ୍ଚଳ ପରିଦର୍ଶନ ସମୟରେ ଗୁଣୁପୁର ପୌର ନିର୍ବାହୀ ଅଧିକାରୀ (ଇଓ) ସନ୍ତୋଷ ନାୟକ, ବିଏଲ୍ଓ ସୁପରଭାଇଜର ତାପସ ପଟ୍ଟନାୟକ , ଶୁଭାଶିଷ ସ୍ୱାଇଁ,ବିଏଲଓ ଭବାନୀ କୁମାରୀ ଶତପଥୀ ଉପସ୍ଥିତ ରହି ସର୍ଭେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ବ୍ଲକ ଅଞ୍ଚଳ ଗସ୍ତ ବେଳେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ସ୍ୱସ୍ତିକ ଜମାଦାର ଉପସ୍ଥିତ ଥିଲେ। କ୍ଷେତ୍ରସ୍ତରୀୟ ଯାଞ୍ଚ ବେଳେ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସମଗ୍ର ସର୍ଭେ ପ୍ରକ୍ରିୟା ଯେପରି ନିର୍ଭୁଲ ଓ ସୁଚାରୁ ରୂପେ ସମ୍ପାଦନ ହେବ, ସେ ନେଇ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ଓ ପରାମର୍ଶ ଦେଇଥିଲେ।


