ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ପରଷିଲେ ପ୍ରଶାସକ
ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡ଼ା ବ୍ଲକର ଆଦିବାସୀ ଅଞ୍ଚଳ କିରିଆମ୍ବ ଓ କାନସାରଳା ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀରେ ୦୩/୧୧/୨୬ ତାରିଖ ଦିନ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲୀ ଆମ୍ମା, ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଓ ଏବିଡିଓ ଧର୍ମରାଜ ପରିଡ଼ା ଆଶ୍ରୟ ନେଇଥିବା ଲୋକମାନଙ୍କୁ ଗରମ ରନ୍ଧା ଖାଦ୍ୟ ପରଷିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଏହି ତିନି ପ୍ରଶାସକ ମଧ୍ୟ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଥିଲେ। ବାତ୍ୟା ପ୍ରଭାବରେ ଯେପରି କୌଣସି ବ୍ୟକ୍ତିଙ୍କ ଅସୁବିଧା ନହୁଏ ସେଥିପାଇଁ ବାରମ୍ବାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମୀକ୍ଷା କରାଯାଉଥିଲା। ବୁଗୁଡ଼ା ବିଡିଓ ଶ୍ରୀ ପାତ୍ର ପ୍ରଥମେ ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇ ନିଜ ଉପସ୍ଥିତିରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବୁଗୁଡ଼ା ତହସିଲଦାର ତାପସ ରାଉତ ଆସିକର ବାତ୍ୟା ଅଞ୍ଚଳ ପାଇଁ ଅତିରିକ୍ତ ଦାୟତ୍ୱରେ ଥିବା ବେଳେ ବୁଗୁଡ଼ା ଅତିରିକ୍ତ ତହିସିଲଦାର ସୁନନ୍ଦ ଶେଖର ସାହାଣୀ ରାଜସ୍ୱ କର୍ମଚାରୀଙ୍କ ସହଯୋଗରେ ବାତ୍ୟା କ୍ଷତିଗ୍ରସ୍ତ ଚାରି ଶହରୁ ଉର୍ଦ୍ଧ ପରିବାରକୁ ପଲିଥିନ ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ଏହିପରି ତ୍ୱରିତ ପଦକ୍ଷେପ ପାଇଁ ବୁଗୁଡ଼ା ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।


