ବିଶିଷ୍ଟ ସ୍ତମ୍ବକାର ପ୍ରାଧ୍ୟାପକ ପ୍ରତାପ ଚନ୍ଦ୍ର ସେନାପତିଙ୍କ ଦେହାନ୍ତ
ଗୁଣପୁର(ଓ୍ବାଇଏନଏସ): ବିଶିଷ୍ଟ ସ୍ତମ୍ବକାର ତଥା ଗୁଣପୁର ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତାପ ଚନ୍ଦ୍ର ସେନାପତି ( ୭୯ ବର୍ଷ ) ଙ୍କ ରବିବାର ଅପରାହ୍ନ ୪ ଟା ରେ ଦେହାନ୍ତ ଘଟିଛି। ବୟସାଧିକ ଜନିତ କାରଣ ଯୋଗୁଁ ସେ ଗତ କିଛି ଦିନ ହେଲା ଆସ୍ଵସ୍ଥ ଥିବା ବେଳେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ କୃଷ୍ଣବେଣି ,ତିନି ପୁଅ ମନୋଜ ମୋହିତ,ମଞ୍ଜିତ,ଝିଅ ସୁରୁଚି, ଜୁଆଇଁ ନିରଞ୍ଜନ,ଭାଇ ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ସେନାପତି ବୋହୁ,ନାତି ନାତୁଣୀ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ସ୍ଵର୍ଗତଃ ସେନାପତିଙ୍କ ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ସ୍ୱର୍ଗତ ସେନାପତି ଗୁଣପୁର ମହାବିଦ୍ୟାଳୟ ସ୍ଥାପନ ଠାରୁ ଅଗଷ୍ଟ ୧୯୭୩ ମସିହାରୁ ଅଧ୍ୟାପନା ଆରମ୍ଭ କରି ଜୁନ ୨୦୦୭ ମସିହାରେ ଅଵସର ଗ୍ରହଣ କରିଥିଲେ । ଜଣେ ନିଷ୍ଠାପର, ସରଳ, ସମୟାନୁବର୍ତ୍ତୀ ଏବଂ ଜନପ୍ରିୟ ପ୍ରାଧ୍ୟାପକ ଭାବେ ପରିଚିତ ଥିଲେ। ବିଶେଷ କରି ଭାରତୀୟ ଅର୍ଥନୀତି ଅଧ୍ୟାପନାରେ ତାଙ୍କର ନିପୁଣତା ରହିଥିଲା। ସେ ଜଣେ ଜଣାଶୁଣା ସ୍ତମ୍ବକାର ରୁପେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ। କୃଷି ଓ ଅର୍ଥନୀତି ଉପରେ ତାଙ୍କର ପ୍ରବନ୍ଧ ଗୁଡିକ ଓଡ଼ିଶାର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି। ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ପ୍ରଧ୍ୟାପକ ଭାବେ ସେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ହୃଦୟରେ ରହିଥିଲେ। କେବଳ ଅଧ୍ୟାପନା କ୍ଷେତ୍ରରେ ନୁହେଁ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ସ୍ଵର୍ଗତଃ ସେନାପତିଙ୍କ ବିୟୋଗରେ ଶିକ୍ଷା ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ସ୍ଥାନୀୟ ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ ଏବଂ ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।


