ଦିଗପହଣ୍ଡିରେ ଆମ୍ବେଦକର ସେବା ସଂଘ ପକ୍ଷରୁ ଶୋଭାଯାତ୍ରା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ ଅର୍ଥନୈତିକ ସଶକ୍ତୀକରଣ ପାଇଁ ଆମ୍ବେଦକର ସେବା ସଂଘ ପକ୍ଷରୁ ରବିବାର ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟରୁ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, କାର୍ଯ୍ୟକାରୀ ସଭାପତି ଦୈତାରୀ ନାୟକ, ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଉପଦେଷ୍ଟା ସୁବଳ ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ନାୟକ,ନୟାଗଡ଼ ସଭାପତି ବବୁଲ ନାୟକ ପ୍ରମୁଖ କର୍ମକର୍ତ୍ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇ ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତା ର ଆମ୍ବେଦକର  ମୋଚି ସମାଜ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା।ସେଠାରେ ଅନୁଷ୍ଠିତ ସାଧାରଣ ସଭା ପୂର୍ବରୁ ବାବାସାହେବ ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।  ଡ. ବି.ଆର. ଆମ୍ବେଦକର ଦେଶର ଅନୁସୂଚିତ ଜାତି, ଜନଜାତି ଓ ଅବହେଳିତ ବର୍ଗଙ୍କ ଅଧିକାରର ସୁରକ୍ଷା ପାଇଁ ସମ୍ବିଧାନରେ ସମାନତା, ସ୍ୱାଧୀନତା ଓ ସାମାଜିକ ନ୍ୟାୟର ଦୃଢ଼ ବ୍ୟବସ୍ଥା କରିଥିଲେ। କିନ୍ତୁ ଦେଶ ସ୍ୱାଧୀନତା ପରେ ମଧ୍ୟ ଏହି ବର୍ଗର ଲୋକମାନେ ଜାତିଗତ ଅସ୍ପୃଶ୍ୟତା, ଭେଦଭାବ, ଧାର୍ମିକ ସ୍ୱାଧୀନତାର ଅଭାବ ଓ ଅର୍ଥନୈତିକ ଦୁର୍ବଳତା ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ସଂଘର କାର୍ଯ୍ୟକର୍ତ୍ତା ବୃନ୍ଦ ସଭାରେ ଉଦବୋଧନ ଦେଇଥିଲେ।
ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ରହିଥିଲେ ମଧ୍ୟ ଏହାର ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ନେଇ ସଂଘ ର ନେତୃବୃନ୍ଦ ଅଭିଯୋଗ କରିଥିଲେ।  ଆଇନର ବ୍ୟବସ୍ଥାକୁ ବିଭିନ୍ନ କ୍ଷେତ୍ରରେ ଦୁର୍ବଳ କରାଯାଉଥିବାରୁ ପୀଡ଼ିତ ଓ ନିର୍ଯାତିତ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ସେମାନେ କହିଥିଲେ।
ଶିକ୍ଷା କ୍ଷେତ୍ରରେ ମଧ୍ୟ ଅବହେଳିତ ଓ ଦଳିତ ବର୍ଗଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ନେଇ ସଭାରେ ଉପସ୍ଥିତ ସଂଘର ନେତୃବୃନ୍ଦ କହିଥିଲେ। ସମ୍ବିଧାନର ମୂଳ ଆଦର୍ଶକୁ ସମସ୍ତ କ୍ଷେତ୍ରରେ ପ୍ରୟୋଗ କରିବା, ସମ୍ବିଧାନ ଓ ଆଇନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏବଂ ବିକାଶମୂଳକ କାର୍ଯ୍ୟରେ ଏହି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ପଞ୍ଚାୟତ ଅଞ୍ଚଳରେ ଅନୁସୂଚିତ ଅଞ୍ଚଳ ସମ୍ପର୍କିତ ଆଇନ ତୁରନ୍ତ ଲାଗୁ କରିବା, ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ କାମ କରିବା, ଭୂମିହୀନଙ୍କୁ ଜମିପଟ୍ଟା, ବାସହୀନଙ୍କୁ ଘର ଏବଂ ବେକାର ଯୁବକ-ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଦାବି କରାଯାଇଥିଲା। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ଅଧୀନରେ ହେଉଥିବା ଯୁଗ୍ମ ତଦନ୍ତରେ ବିଳମ୍ବ ହେଉଥିବା ନେଇ ସଂଘ ର କର୍ମକର୍ତ୍ତା ବୃନ୍ଦ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନେକ ମାମଲା ବର୍ଷ ବର୍ଷ ଧରି ପଡ଼ି ରହୁଥିବା ବେଳେ ଏହି ସମୟ ମଧ୍ୟରେ ତଦନ୍ତକାରୀ ଅଧିକାରୀ, ତହସିଲଦାର ଓ ଅନ୍ୟ ଅଧିକାରୀମାନଙ୍କ ବଦଳି ହୋଇଯାଉଛି। ଫଳରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି।ଆଇନରେ ଥିବା ସମୟସୀମା ଅନୁଯାୟୀ ଦରଖାସ୍ତର ୭ ଦିନ ମଧ୍ୟରେ ନିରୀକ୍ଷଣ, ୧୫ ଦିନ ମଧ୍ୟରେ ଯୁଗ୍ମ ତଦନ୍ତ ରିପୋର୍ଟ ଏବଂ ୧ ମାସ ମଧ୍ୟରେ ଅଭିଯୋଗପତ୍ର ଦାଖଲ କରିବା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା।ଜଙ୍ଗଲ ଜମିରେ ବସବାସ କରୁଥିବା ଦଳିତ ଓ ଗରିବ ଲୋକମାନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରାଯିବା, ଅନାବାଦୀ, ଗୋଚର, ଜଙ୍ଗଲ ଓ ଅନ୍ୟ ସରକାରୀ ଜମି ଜବରଦଖଲ ହେଉଥିବା ଅଭିଯୋଗ କରି ସଂଘ ନେତୃବୃନ୍ଦ କହିଥିଲେ ଯେ, କେତେକ ଅଞ୍ଚଳରେ ଜଣେ ଜଣେ ବ୍ୟକ୍ତି ବହୁ ଏକର ସରକାରୀ ଜମି ଜବରଦଖଲ କରିଥିବା ବେଳେ ଭୂମିହୀନ ଗରିବଙ୍କୁ ଜମି ମିଳୁନାହିଁ। ଏହାର ନିରପେକ୍ଷ ତଦନ୍ତ କରି ଜବରଦଖଲ ଜମି ଉଦ୍ଧାର କରି ଭୂମିହୀନଙ୍କୁ ପ୍ରଦାନ କରିବାକୁ ଦାବି ହୋଇଛି। ଅଙ୍ଗନୱାଡ଼ି କେନ୍ଦ୍ରର ପାଚିକା ଏବଂ ବିଦ୍ୟାଳୟରେ ରୋଷେଇ କରୁଥିବା ଅନୁସୂଚିତ ଜାତିର ମହିଳାମାନଙ୍କ ପ୍ରତି ଜାତିଗତ ବାଛବିଚାର କରାଯାଉଥିବା ଅଭିଯୋଗ କରାଯାଉଛି। ଗାଁ ଗହଳରେ ଠାକୁରାଣୀଙ୍କ ଯାତ୍ରା ଭଳି ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଜାତିଗତ ଭେଦଭାବ ନ ହେବା ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଛି।ଏହି ସମସ୍ତ ଘଟଣାରେ ପୁଲିସ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟିକୁ ନିୟମିତ ଭାବେ ସକ୍ରିୟ କରିବାକୁ ସଂଘ ଦାବି କରିଛି। ଏଥିସହିତ ନିର୍ଯାତନା ପୀଡ଼ିତଙ୍କ ପାଇଁ ମିଳୁଥିବା ସହାୟତା ରାଶି ବୃଦ୍ଧି କରିବାକୁ ମଧ୍ୟ ଦାବି ହୋଇଛି।ଏହି ସବୁ ଦାବିଗୁଡ଼ିକୁ ନେଇ ଆମ୍ବେଦକର ସେବା ସଂଘ ପକ୍ଷରୁ ଦିଗପହଣ୍ଡିରେ ସଙ୍ଗଠନ କୁ ଆହୁରି ମଜବୁତ କରିବା ସହ ଜନଆନ୍ଦୋଳନ ଗଢ଼ି ତୋଳିବାକୁ ସଭାରେ ଆହ୍ୱାନ ଦିଆଯାଇଥିଲା।ସାମ୍ବିଧାନିକ ଅଧିକାରର ସୁରକ୍ଷା, ଜାତିଗତ ଭେଦଭାବର ଅବସାନ, ନିର୍ଯାତନା ବିରୋଧରେ ତ୍ୱରିତ ନ୍ୟାୟ ଏବଂ ଅନୁସୂଚିତ ଜାତି-ଜନଜାତି ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।ସଭା ପରେ ସଂଘର ଗଞ୍ଜାମ ଜିଲ୍ଲା କମିଟି ଗଠନ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ଭାବେ ଟି. ଲବ ରାଓ, ସଭାପତି – ଏସ୍. ପ୍ରହଲ୍ଲାଦ, ସମ୍ପାଦକ – ଏନ୍.ଏନ୍. ନରସିଂହ, ସହସମ୍ପାଦକ- ଜି. ଆପଣା, କୋଷାଧ୍ୟକ୍ଷ – ଏନ୍. ବାବୁଲା, ପରାମର୍ଶଦାତା – ଡି. ବାବୁ ଏବଂ ଏମ୍.ଯୁଧିଷ୍ଠିର, କେ. ସନ୍ତୋଷ ଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା।  ଟି. ଜ୍ୟୋତି ଙ୍କୁ ଜିଲା ମହିଳା ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିଲା। ଶେଷରେ ଜି. ଆପଣା ଧନ୍ୟବାଦ ଅର୍ପଣ କରିଥିଲେ। ଆମ୍ବେଦକର ମୋଚିକୁଳ ସମାଜର ସଭାପତି ଆର୍. ଲୋକନାଥ, ଉପସଭାପତି ଡି. ବାବୁ, ସମ୍ପାଦକ ଏସ୍. ପ୍ରହଲ୍ଲାଦ, ସହସମ୍ପାଦକ ଟି. ଲବ, କୋଷାଧ୍ୟକ୍ଷ କେ. ରମେଶ, ଉପଦେଷ୍ଟା ଆର୍. ମୋହନ, ଜି. ଆପଣା, ଏନ୍. ନରେଶ, ଏମ୍. ଯୁଧିଷ୍ଠିର, କେ. ନରେଶ, କେ. ସନ୍ତୋଷ ରାଓ ଓ ଏନ୍. ସୁରଥ,  ପୂର୍ବତନ ସଭାପତି ଡି. ସୁରେନ୍ଦ୍ର କୁମାର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ