୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମହେନ୍ଦ୍ରଗିରିସ୍ଥିତ କୋଇନପୁର ଗ୍ରାମରେ ଗତ ଚାରି ଦିନ ଧରି ଚାଲିଥିବା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍ ୨୦୨୬ ଆଜି ସଫଳତାର ସହ ସମାପ୍ତ ହୋଇଛି। ମହେନ୍ଦ୍ରଗିରିର ଦୁର୍ଗମ ଓ ଚ୍ୟାଲେଞ୍ଜିଂ ପାହାଡ଼ିଆ ଟ୍ରାକ୍‌ରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାଇକ୍ଲିଷ୍ଟମାନେ ନିଜର ଦକ୍ଷତା, ସାହସ ଓ ସହନଶୀଳତାର ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ତିମ ଦିନର କାର୍ଯ୍ୟକ୍ରମରେ ଦିଗପହଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଏବଂ ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀ ଶ୍ରୀକାନ୍ତ ତରାଇ, IAS ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। ଚାମ୍ପିଅନଶିପ୍‌ର ସାମଗ୍ରିକ ଫଳାଫଳରେ ତାମିଲନାଡୁ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ ୧୪ଟି ପଦକ ଜିତି ଚାମ୍ପିଅନ୍ ହୋଇଛି। କର୍ଣ୍ଣାଟକ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୧୩ଟି ପଦକ ପାଇ ରନର୍ସ-ଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧ଟି କାଂସ୍ୟ ସହ ତୃତୀୟ ସ୍ଥାନ ହାସଲ କରିଛି। ବ୍ୟକ୍ତିଗତ ପ୍ରଦର୍ଶନରେ ତାମିଲନାଡୁର ମେନ୍ ଜୁନିୟର ସାଇକ୍ଲିଷ୍ଟ ଶ୍ରୀ ଆଣ୍ଟୋନି ରାଜଙ୍କୁ Best Men Cyclist ଭାବେ ଚୟନ କରାଯାଇଛି। ସେ ୨ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଥିଲେ। ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏହି ଜାତୀୟ ଆୟୋଜନ ପ୍ରତି ତାଙ୍କର ସମର୍ଥନ ଓ ସହଯୋଗ ପାଇଁ ବିଶେଷ କୃତଜ୍ଞତା ଜଣାଉଛି। ସେହିପରି ମହାରାଷ୍ଟ୍ରର ମହିଳା ଏଲିଟ୍ ସାଇକ୍ଲିଷ୍ଟ ଶ୍ରୀମତୀ ପ୍ରଣିତା ସୋମନ୍ଙ୍କୁ Best Women Cyclist ଭାବେ ସମ୍ମାନିତ କରାଯାଇଛି। ସେ ୨ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ସହ XCEରେ ଅତିରିକ୍ତ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାମିଲନାଡୁ ଦଳକୁ Best Fair Play Team ଭାବେ ଚୟନ କରାଯାଇଛି। ଏହି ଚାରି ଦିନିଆ ଜାତୀୟ ଚାମ୍ପିଅନଶିପ୍‌କୁ ସଫଳ କରିବାରେ ସହଯୋଗ କରିଥିବା ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସମସ୍ତ ସଦସ୍ୟ, ବୈଷୟିକ ଅଧିକାରୀ ଓ ଆୟୋଜକ କମିଟିଙ୍କୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।

 ଏଥିସହ କୋଇନପୁର ଗ୍ରାମପଞ୍ଚାୟତର ସମସ୍ତ ସଦସ୍ୟ ଓ ଗ୍ରାମବାସୀ, ରେଡ୍ କ୍ରସ୍ ଟିମ୍, ଜିଲ୍ଲା ପ୍ରଶାସନ, ପୋଲିସ୍ ବିଭାଗ, ଚିକିତ୍ସା ଦଳ, ଅଗ୍ନିଶମ ବାହିନୀ, ମାର୍ଶାଲ୍, ସ୍ୱେଚ୍ଛାସେବୀ ଏବଂ ସମସ୍ତ ସହଯୋଗୀ ଦଳଙ୍କ ନିଷ୍ଠା ଓ ସହଯୋଗ ପାଇଁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ବିଶେଷ କୃତଜ୍ଞତା ଜଣାଇଛି। ବିଶେଷକରି ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ଷ୍ଟେଟ୍ ଟେକ୍ନିକାଲ୍ ଅଫିସିଆଲ୍‌ମାନଙ୍କ ନିରନ୍ତର ପରିଶ୍ରମ ଓ ସମର୍ପଣ ବିନା ଏତେ ବଡ଼ ଜାତୀୟ ଆୟୋଜନକୁ ସଫଳତାର ସହ ସମ୍ପନ୍ନ କରିବା ସମ୍ଭବ ହୋଇପାରିନଥାନ୍ତା। ସେମାନଙ୍କ ପ୍ରତି ମଧ୍ୟ ଆସୋସିଏସନ୍ ପକ୍ଷରୁ ଆନ୍ତରିକ କୃତଜ୍ଞତା ପ୍ରକାଶ କରାଯାଇଛି। ମହେନ୍ଦ୍ରଗିରିର ମାଟିରେ ଚାରି ଦିନ ଧରି ଚାଲିଥିବା ଏହି ଜାତୀୟ ସାଇକ୍ଲିଂ ମହାକୁମ୍ଭ ଏକ ସ୍ମରଣୀୟ ଅଧ୍ୟାୟ ଛାଡ଼ି ଯାଇଛି। କ୍ରୀଡ଼ାବିତ୍‌ଙ୍କ ରୋମାଞ୍ଚକର ପ୍ରଦର୍ଶନ, ଗ୍ରାମବାସୀଙ୍କ ଆତିଥ୍ୟ ଏବଂ ସମସ୍ତଙ୍କ ମିଳିତ ପ୍ରୟାସ ଏହି ଚାମ୍ପିଅନଶିପ୍‌କୁ ସଫଳ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ