ମା କନକ ଦୂର୍ଗା ମନ୍ଦିରରେ ଷୋଳ ପୂଜା ଆରମ୍ଭ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପବିତ୍ର ମୂଳାଷ୍ଟମୀ ତିଥି ଠାରୁ ନିମାପଡ଼ା ବ୍ଲକର ତୁଳସୀପୁର ଗ୍ରାମ ଠାରେ ପୂଜା ପାଇ ଆସୁଥିବା ମା କନକ ଦୂର୍ଗା ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଗ୍ରାମ କମିଟି ସଭାପତି ବନ ବିହାରୀ ଦାଶ ଙ୍କ ସୁଚନା ଅନୁସାରେ ମା କନକ ଦୂର୍ଗା ତୁଳସୀପୁର ଗ୍ରାମର ଗ୍ରାମ ଦେବତୀ ନୁହଁନ୍ତି। ଦେବୀ ପୂର୍ବରୁ ନିକଟସ୍ଥ ପ୍ରାଚୀ ଉପତ୍ୟକା ଅମର ପ୍ରସାଦ ଗଡ଼ ର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଇ ଆସୁଥିଲେ। ପ୍ରାୟ ପଞ୍ଚଦଶ ଶତାବ୍ଦୀ ରେ ଯେତେ ବେଳେ ତନ୍ତ୍ର ଯୁକ୍ତ ଶକ୍ତି ପୂଜା କୁ ବିରୋଧ କରି ବୈଷ୍ଣବ ଧମାବଲମ୍ବୀ ମାନେ ବୈଷ୍ଣବ ଧର୍ମ ର ପ୍ରଚାର ପ୍ରସାର କଲେ ଓ ଜନସାଧାରଣ ଙ୍କୁ ତନ୍ତ୍ରଯୁକ୍ତ ଶକ୍ତି ପୂଜା ବର୍ଜନ କରିବାକୁ ପ୍ରବର୍ତ୍ତାଇ ଥିଲେ ସେ ସମୟ ରେ ପ୍ରାଚୀ ଉପତ୍ୟକା ର ବିଭିନ୍ନ ଗଡ଼ ଓ ଗ୍ରାମ ରେ ପୂଜା ପାଉଥିବା ଦୂର୍ଗା ଓ ଚାମୁଣ୍ଡା ମୂର୍ତ୍ତୀ ଗୁଡ଼ିକୁ ଗ୍ରାମବାସୀ ମାନେ ସ୍ବେଛାକୃତ ଭାବେ ନଦୀ ଜଳ ରେ ବିସର୍ଜନ କରି ଦେବୀ ପୀଠ ମାନଙ୍କରେ ମାଧବ/ଶ୍ରୀ କୃଷ୍ଣ/ ଭାଗବତ ଗାଦି ପୂଜା ଆରମ୍ଭ କରିଥିଲେ। ଅମରପ୍ରସାଦ ଗଡ଼ ରେ ପୂଜା ପାଉଥିବା ମା କନକ ଦୂର୍ଗା ଙ୍କୁ ଗ୍ରାମବାସୀ ମାନେ ପୂଜା କରିବାକୁ ନ ଚାହିଁବାରୁ ତୁଳସୀପୁର ଗ୍ରାମର ମକଦ୍ଦମ ମାନେ ମା ଙ୍କ ମୂର୍ତ୍ତୀ କୁ ଅମର ପ୍ରସାଦ ଗଡ଼ ରୁ ଆଣି ନିଜ ଗ୍ରାମ ରେ ସ୍ଥାପନା କରି ପୂଜାର୍ଚ୍ଚନା କଲେ। ସେହି ଦିନ ଠାରୁ ମା କନକ ଦୂର୍ଗା ତୁଳସୀପୁର ଗ୍ରାମରେ ପୂଜା ପାଇ ଆସୁଛନ୍ତି। ସମୂହ ଗ୍ରାମବାସୀ (୩୭୦ ପରିବାର) ମା ଙ୍କ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ପାଳନ କରି ଆସୁଛନ୍ତି। ମୂଳାଷ୍ଟମୀ ତିଥି ଠାରୁ ମହାଷ୍ଟମୀ ତିଥି ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ପାଳି କରି ମା ଙ୍କ ନିକଟରେ ଆମିଷ ଭୋଗ ଲାଗି କରିଥାନ୍ତି। ମହାସପ୍ତମୀ ରାତି ରେ ସମୂହ ଗ୍ରାମବାସୀ ମାନେ ଏକତ୍ର ମିଶି ଯନ୍ତାଳ ଭୋଜି କରି ଥାନ୍ତି। ମହାଷ୍ଟମୀ ଦିନ ସନ୍ଧ୍ୟା ରେ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶ ରେ ସଜ୍ଜିତ କରାଯାଇଥାଏ।ଗ୍ରାମବାସୀ ମାନେ ମାଙ୍କ ନିକଟରେ ଚୁଡ଼ଘସା, ଫଳ ମୂଳ ଭୋଗ ଲାଗି କରିଥାନ୍ତି। ବିଳମ୍ବିତ ରାତିରେ କୁଷ୍ମାଣ୍ଡ ବଳୀ ସହିତ ଏକ ବିଶେଷ ପଣା ଭୋଗ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥାଏ। ପୂର୍ବରୁ ମା ସମ୍ମୁଖରେ ମେଷ ବଳି ଦିଆ ଯାଉଥିଲା ଏବେ ମେଷ ବଦଳରେ କୁଷ୍ମାଣ୍ଡ ବଳୀ ଦିଆଯାଉଛି। ଦଶହରା ବିଜୟା ଦଶମୀ ଦିନ ମାଙ୍କୁ ମହାମାୟା ଜଗତ ଜନନୀ ବେଶରେ ସଜ୍ଜିତ କରାଯାଇଥାଏ। ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରିବା ସହିତ ଫଳ ମୂଳ ଭୋଗ ଲାଗି କରିଥାନ୍ତି। ଅନେକ ବ୍ୟକ୍ତି ନିଜ ଯାନବାହାନକୁ ମାଙ୍କ ନିକଟରେ ପୂଜା କରିଥାନ୍ତି। ଶେଷ ହୋଇଥାଏ ମା କନକ ଦୂର୍ଗାଙ୍କ ଶାରଦୀୟ ପାର୍ବଣ ପୂଜା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ