ଡାକ ସେବା ପାଇଁ ଦୁଇ କର୍ମଚାରୀଙ୍କ ଉପରେ ୨୨ ଗାଁର ଭରସା
ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା): ଡିଜିଟାଲ୍ ଯୁଗରେ ଚିଠିପତ୍ରର ଚାହିଦା କମିଛି। ହେଲେ ଗ୍ରାମାଞ୍ଚଳରେ ଡାକଘରର ଗୁରୁତ୍ୱ ଏବେ ବି ଅତୁଟ। ସଞ୍ଚୟ ଖାତା, ଟଙ୍କା ଜମା-ଉଠାଣଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସେବା ପାଇଁ ଲୋକେ ଏବେ ବି ଡାକଘର ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସେବା କେନ୍ଦ୍ରରେ ଯଦି ମୌଳିକ ସୁବିଧା ନଥାଏ, ତେବେ ଲୋକଙ୍କ ସମସ୍ୟା ବଢ଼ିବା ସ୍ୱାଭାବିକ। ଭଳି ଏକ ଚିତ୍ର ଦେଖିବାକୁ ମିଳିଛି ରାଞ୍ଚି ବିଜୟଓ୍ବାର୍ଡା ତଥା ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ଡାକଘରରେ। ପଞ୍ଚାୟତ ପକ୍ଷରୁ ମାଗଣାରେ ଡାକଘର ପାଇଁ ଗୃହ ଯୋଗାଇ ଦିଆଯାଇଛି। ତେବେ କାର୍ଯ୍ୟାଳୟ ପରିସରରେ ଉପଯୁକ୍ତ ବିଦ୍ୟୁତ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ନଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ ସମସ୍ୟା ପାଲଟିଛି ନେଟୱାର୍କ। ଡାକ ବିଭାଗର ବିଭିନ୍ନ କାର୍ଯ୍ୟ ଏବେ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଠାରେ ନିୟମିତ ନେଟୱାର୍କ ମିଳୁନଥିବାରୁ କାମ କରିବାରେ କର୍ମଚାରୀଙ୍କୁ ସମସ୍ୟା ହେଉଛି। ନେଟୱାର୍କ ନଥିଲେ ଫୋନ୍ ଯୋଗେ କାମ ଚଳାଇବାକୁ ପଡ଼ୁଥିବା ଜଣାପଡ଼ିଛି। ଦୁଇ କର୍ମଚାରୀଙ୍କ ଭରସାରେ ଡାକଘର ଚାଲିଛି ! ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡାକଘରରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ପୋଷ୍ଟ ମାଷ୍ଟର ଓ ଅତିରିକ୍ତ ପୋଷ୍ଟ ମାଷ୍ଟର ଙ୍କୁ ନେଇ ଭରସାରେ ଡାକଘରର କାର୍ଯ୍ୟ ଚାଲିଥିବାରୁ କାର୍ଯ୍ୟଭାର ମଧ୍ୟ ଅଧିକ ରହୁଛି।୨୨ ଗାଁ, ୨ ହଜାରରୁ ଅଧିକ ଖାତା ଏହି କେନ୍ଦ୍ରରେ ରହିଛି ! ଏହି ଡାକଘର ଉପରେ ପଞ୍ଚାୟତ ଅଧୀନର ୮ଟି ରାଜସ୍ୱ ଗ୍ରାମ ର ୧୨ଟି ୱାର୍ଡ ଓ ୨୨ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ଡାକଘରରେ ୨ ହଜାରରୁ ଅଧିକ ଖାତା ଥିବାରୁ ଏହାର ଗୁରୁତ୍ୱ ସହଜରେ ଅନୁମାନ କରାଯାଇପାରେ। ଏତେ ବଡ଼ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଡାକଘରର ଭିତ୍ତିଭୂମିକୁ ମଜବୁତ କରିବା ଜରୁରୀ ହୋଇପଡ଼ିଛି। ନିୟମିତ ବିଦ୍ୟୁତ୍, ନିରବଚ୍ଛିନ୍ନ ନେଟୱାର୍କ, ଆବଶ୍ୟକ ଉପକରଣ ଓ ପର୍ଯ୍ୟାପ୍ତ କର୍ମଚାରୀ ଯୋଗାଇ ଦିଆଗଲେ ଲୋକଙ୍କୁ ଆହୁରି ସୁବିଧାଜନକ ଭାବେ ଡାକ ସେବା ମିଳିପାରିବ। ଏ ଦିଗରେ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


