କ୍ୟାମ୍ପସ ରାଜନୀତି ଜୋରଦାର, ଅଣ ଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ କଟକଣା
ହାଟଡିହି , (ଓ୍ବାଇଏନଏସ) : ଆଠବର୍ଷର ବ୍ୟବଧାନ ପରେ ରାଜ୍ୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ହାଟଡିହି ବ୍ଲକରେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ, ଛେନାପଦିଛକ ଠାରେ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ, ସୋସୋ ଠାରେ ବଉଳା ମହାବିଦ୍ୟାଳୟ ପ୍ରମୁଖ ତିନୋଟି ମହାବିଦ୍ୟାଳୟ ଥିବାବେଳେ କେବଳ ହାଟଡିହି ଆଞ୍ଚଳିକ ମହା ବିଦ୍ୟାଳୟରେ ହେବାକୁ ଯାଉଛି ଏହି ଛାତ୍ର ସଂସଦ ନିର୍ବାଚନ। ୮ବର୍ଷ ପରେ ନିର୍ବାଚନ କରିବାକୁ ନିଷ୍ପତି ନେଇଥିବାରୁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ଆଜି ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହାଟଡିହି ମହାବିଦ୍ୟାଳୟରେ ବାତାବରଣ ଉଷ୍ମ ହେବାରେ ଲାଗିଛି। ସମୟ କମ୍ ଥିବାରୁ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଛାତ୍ରଛାତ୍ରୀ ଦଳଦଳ ହୋଇ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। କିଏ କେଉଁ ପଦବି ପାଇଁ ନିର୍ବାଚନ ଲଢ଼ିବେ, କେଉଁ ଛାତ୍ରଙ୍କ ଲୋକପ୍ରିୟତା ଅଧିକ ଏବଂ ଗୁରୁତ୍ଵପୂର୍ଣ୍ଣ ସଭାପତି ଓ ସମ୍ପାଦକ ପଦବି ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଜୋରଦାର ଆଲୋଚନା ଚାଲିଛି। କିପରି ଛାତ୍ର ସଂସଦ ଦଖଲ କରାଯିବ ସେନେଇ ନେତା ମାନେ ମଧ୍ୟ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। କମ ସମୟ ଥିବାରୁ ଛାତ୍ରଛାତ୍ରୀ ମାନେ ସୋସିଆଲ ମିଡ଼ିଆକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବିଗତ ଦିନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇ କଲେଜକୁ ସାଏନଡ଼ାଏ ଘୋଷଣା କରାଯାଇ ଥିବାରୁ ଚଳିତ ନିର୍ବାଚନ ପରିଚାଳନା କରିବା କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ହରେକୃଷ୍ଣ ରାଉତ କହିଛନ୍ତି ଯେ ନିର୍ବାଚନ ସୁ ପରିଚାଳନା ପାଇଁ ଷ୍ଟାଫ ମିଟିଙ୍ଗ ସରିଛି। ପୋଲିସ ପ୍ରଶାସନର ସହଯୋଗ ମଧ୍ୟ ନେବୁ। ଅଣ ଛାତ୍ରଛାତ୍ରୀ ଙ୍କ ପ୍ରବେଶ ଉପରେ କଟକଣା ଲଗାଇବୁ। ଆମ କଲେଜରେ ଶାନ୍ତି ଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି ।


