ବିଦ୍ୟୁତ୍ ଫାସରେ ଲାଗି ଯୁବକଙ୍କ ମୃତ୍ୟୁ
ପାେଲସରା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ବାରାହା ଶିକାର ପାଇଁ ବିଛାଯାଇଥିବା ବେଆଇନ ବିଦ୍ୟୁତ ଫାସର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଭାବରଡ଼ା ରୋଡ଼ ସାହିର ୪୦ ବର୍ଷ ବୟସ୍କ ସନ୍ତୋଷ ସ୍ୱାଇଁ । ଗତ ରାତ୍ର ପ୍ରାୟ ୧୨ଟା ସମୟରେ ନିଜ ଗୋଠରୁ ଗାଈ ଖସିଯିବା ପରେ ସନ୍ତୋଷ ତାକୁ ଖୋଜିବାକୁ ଯାଇଥିଲେ। ତେବେ ଗାଈ ଖୋଜୁଥିବା ବେଳେ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ। ସନ୍ତୋଷଙ୍କ ସହ ତାଙ୍କ ବାପା ନାଲୁ ସ୍ୱାଇଁ ମଧ୍ୟ ଥିଲେ । ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ନାଲୁ ସତର୍କତାର ସହ ପରିବାରକୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସନ୍ତୋଷଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲସରା ଥାନା ପୁଲିସ ମେଡିକାଲରେ ପହଞ୍ଚି ମର ଶରୀର ଜବତ କରିବା ସହ ପୋଲସରା ଥାନା କେସ ନଂ ୬୧୨/୨୬ ପ୍ରକାରେ ଏକ ମାମଲା ରୁଜୁକରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବରାହ ଶିକାର ପାଇଁ ବେଆଇନ ଭାବେ ବିଦ୍ୟୁତ ଫାସ ବିଛାଇଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।


