ବାଲେଶ୍ୱର ପୁଲିସ ସାଇବର ଅପରାଧ ରାକେଟ୍ର ପର୍ଦ୍ଦାଫାସ, ଦୁଇ ଗିରଫ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ପୁଲିସ ଏକ ସାଇବର ଅପରାଧ ରାକେଟ୍ର ପର୍ଦ୍ଦାଫାସ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଜାଲିଆତି କରି ଏକାଧିକ ସିମ୍ କାର୍ଡ ସଂଗ୍ରହ ଓ ଜାରି କରାଇ ସେଗୁଡ଼ିକୁ ବିଭିନ୍ନ ସାଇବର ଅପରାଧରେ ବ୍ୟବହାର କରୁଥିବା ପୁଲିସ ସୂଚନା ଦେଇଛି।
ଅଭିଯାନ ସମୟରେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ୧୬ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ଗୋଟିଏ କାର୍, ୭୫ ଗ୍ରାମ ସୁନା ଏବଂ ପ୍ରାୟ ୫୫ଟି ସିମ୍ କାର୍ଡ ଜବତ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ଦେବଜ୍ୟୋତି ଦାସ କହିଛନ୍ତି ଯେ, ଟେକ୍ନିକାଲ୍ ସର୍ଭେଲାନ୍ସ ସହିତ ଫିଜିକାଲ୍ ସର୍ଭେଲାନ୍ସ ମାଧ୍ୟମରେ ପୁଲିସ ତଦନ୍ତ ଚଳାଇଥିଲା। ଏହା ଜରିଆରେ ତଦନ୍ତକାରୀ ଦଳ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା। ଏହି ସାଇବର ଅପରାଧ ରାକେଟ୍ର ପରିସର ଏବଂ ଏଥିରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


