ବିପୁଳ ପରିମାଣର ଦେଶୀ ମଦ ଜବତ, 3 ମହିଳାଙ୍କ ସମେତ 18 ଜଣ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣା ପଡିଛି. ଗଜପତି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଛି. ଏହି ସମସ୍ତ ଘଟଣାରେ 3 ମହିଳାଙ୍କ ସମେତ 18 ଜଣଙ୍କୁ ଗିରଫ କରାଯାଇ କୋୖର୍ଟକୁ ଚାଲାଣ କରାଯାଇଛି. ଘଟଣାରୁ ପ୍ରକାଶ, ଶାରଦୀୟ ଦୁର୍ଗାପୂଜା ଓ ଦଶହରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଚୋରାମଦ କାରବାର ବିରୁଦ୍ଧରେ ଅବକାରୀ ବିଭାଗ ଦ୍ଵାରା ପେଟ୍ରୋଲିଂ ଓ ଚଢାଉ ଆଦି ଜାରି ରହିଛି. ଅବକାରୀ ନିରୀକ୍ଷକ ମନୁଆୟଲ, ଉପନିରୀକ୍ଷକ ବବୁନ କୁମାର ବେହେରା, ଦେବାଶିଷ ସିର୍ଦ୍ଧାର, ସହକାରୀ ଉପନିର୍ଦେଶକ ବିଜୟାନନ୍ଦ ବେହେରା, ନୀଳାମ୍ବର ନାୟକ ପ୍ରମୁଖଙ୍କ ସମେତ ଅବକାରୀ ସ୍ୱୱାର୍ଡ ପାରଳାଖେମୁଣ୍ଡି ସହର ସମେତ ଗୁରାଣ୍ଡି, ସେରଙ୍ଗ, ଗାରାବନ୍ଧ, ରାୟଗଡା ଆଦି ଅଞ୍ଚଳରେ ଚୋରା ଓ ବେଆଇନ ଭାବେ ରନ୍ଧା ଯାଇ ବିକ୍ରି ପାଇଁ ଗଛିତ ଥିବା 2081 ଲିଟର ଦେଶୀ ରନ୍ଧାମଦ ସହ 7500 ଲିଟର ଦେଶୀମଦ ତିଆରିରେ ବ୍ୟବହୃତ ହେଉଥିବା ମହୁଲ ପୋଚକୁ ଜବତ କରାଯାଇଛି. ଦେଶୀ ମଦକୁ ଜବତ କରି ରଖିବା ପରେ ପୋଚକୁ ନିଆଁ ଲଗାଇ ପୋଡି ଦିଆ ଯାଇଛି. ସେହିପରି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଓ ୠମେଶ ଗ୍ରାମରେ ଚଢାଉ କରାଯାଇ 85 ଲିଟର ଦେଶୀ ରନ୍ଧାମଦକୁ ଜବତ କରାଯାଇ ଚୋରା ମଦ କାରବାରରେ ଲିପ୍ତ 5 ଜଣଙ୍କୁ ଗିରଫ କରାଯାଇଛି. ଏଥିସହ ମୋହନା ଅବକାରୀ ଥାନା ଅଧୀନର ଅନ୍ତରବା ଓ ଚୁଡ଼ଙ୍ଗପୁର ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ବେଳେ 3 ଗୋଟି ମଟର ସାଇକେଲ ଯୋଗେ 280 ଲିଟର ଦେଶୀ ରନ୍ଧାମଦ ବେଆଇନ ଚାଲାଣ ବେଳେ ଜବତ କରାଯାଇଛି. ଚୋରାଚାଲାଣରେ ବ୍ୟବହୃତ 3 ଗୋଟି ମଟର ସାଇକେଲ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଛି. ମୋହନା ଅବକାରୀ ଥାନା ଅଧିକାରୀ ଦଣ୍ଡ ଶବରଙ୍କ ନେତୃତ୍ୱରେ ଉପରୋକ୍ତ 2 ଗୋଟି ଚଢାଉ ହୋଇଥିବା ସୂଚନା ମିଳିଛି.


