ଛାତ୍ର ସଂସଦ ନିର୍ବାଚନ ପ୍ରଚାର ଜୋରଦାର

ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋସ୍ଥିତ ବଉଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି। ମହାବିଦ୍ୟାଳୟ ପରିସରଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପହଞ୍ଚି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ନାମାଙ୍କନପତ୍ର ଦାଖଲ ପର୍ବ ଶେଷ ହେବା ପରେ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ରଣନୀତିକୁ ଜୋରଦାର କରିଛନ୍ତି। ସହପାଠୀଙ୍କ ସମର୍ଥନ ହାସଲ କରିବା ସହ ଭୋଟରଙ୍କ ନିକଟରେ ନିଜର ଯୋଗ୍ୟତା ଓ ଆଭିମୁଖ୍ୟ ଉପସ୍ଥାପନ କରିବାକୁ ପ୍ରାର୍ଥୀମାନେ ଉଦ୍ୟମ ଚଳାଇଛନ୍ତି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ପ୍ରଚାର ମଇଦାନରେ ଉତ୍ସାହ ବଢ଼ିବା ସହ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ରୋଚକ ହେବାରେ ଲାଗିଛି।

ମହାବିଦ୍ୟାଳୟର ସଭାପତି ପଦ ପାଇଁ ପ୍ରୀତମ କୁମାର ବେହେରା, ସୌମ୍ୟରଞ୍ଜନ ନାୟକ ଓ ଲକ୍ଷ୍ମୀପ୍ରିୟା ଭୂୟାଁଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ସ୍ମୃତିରେଖା ରାଉତ ଓ ସୁମନ ବେହେରାଙ୍କ ମଧ୍ୟରେ ଲଢ଼େଇ ହେଉଛି। ଫଳରେ ଉଭୟ ପଦକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଅନ୍ୟପକ୍ଷରେ ଏବିଭିପି, ଏନ୍‌ଏସ୍‌ୟୁଆଇ ଓ ବିସିଜେଡି ଭଳି ଛାତ୍ର ସଂଗଠନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସଂଗଠନଗୁଡ଼ିକର କର୍ମକର୍ତ୍ତା ଓ ସମର୍ଥକମାନେ ମଧ୍ୟ ପ୍ରଚାରରେ ସକ୍ରିୟ ହୋଇପଡ଼ିଛନ୍ତି। ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ରାର୍ଥୀମାନେ ବ୍ୟକ୍ତିଗତ ସମ୍ପର୍କ ଓ ସାକ୍ଷାତ ଆଲୋଚନା ଉପରେ ଗୁରୁତ୍ୱ ଦେଉଛନ୍ତି। ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବୀ ହାସଲ କରିବାର ଲଢ଼େଇ ନୁହେଁ, ବରଂ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିବା ଓ ଛାତ୍ରଛାତ୍ରୀଙ୍କ ସ୍ୱରକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବାର ଏକ ମାଧ୍ୟମ। ତେଣୁ ଭୋଟରମାନେ କେଉଁ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ। ଶେଷ ମୁହୂର୍ତ୍ତର ପ୍ରଚାର ଓ ଭୋଟରଙ୍କ ନିଷ୍ପତ୍ତି ଏହି ନିର୍ବାଚନର ଫଳାଫଳକୁ କେଉଁ ଦିଗକୁ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ