ଶ୍ୟାମପୁରର ଦୁର୍ଗାପୂଜା:୧୯୦୫ରୁ ନଅ ପିଢ଼ି ଧରି ପୂଜାର ପରମ୍ପରା ଆଜିଯାଏ ଚାଲିଛି

ଧାମନଗର (ଓ୍ବାଇଏନଏସ): ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି ଧାମନଗର ସହର। ଧାମନଗର ଏନ ଏ ସି ଅଞ୍ଚଳର ଶ୍ୟାମପୁର ଗ୍ରାମରେ ଥିବା ଆଦ୍ୟ ଦୁର୍ଗା ତାମିଲ ସାହି ମେଢ଼ର ପରମ୍ପରା ସ୍ୱତନ୍ତ୍ର। ୧୯୦୫ ମସିହାରୁ ଏଠାରେ ମା’ ଦୁର୍ଗାଙ୍କ ପୂଜା ହୋଇଆସୁଥିବା ବେଳେ ଦୀର୍ଘ ୧୨୧ ବର୍ଷ ଧରି ଏହି ପରମ୍ପରା ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଆସୁଛି। ପିଢ଼ି ପରେ ପିଢ଼ି ଏହି ପୂଜାର ଦାୟିତ୍ୱ ତୁଲାଇ ଆସୁଥିବା ରାମ ପରିବାର ଏବେ ମଧ୍ୟ ପରମ୍ପରାକୁ ବଜାୟ ରଖିଛନ୍ତି। ଲୋକକଥା ଅନୁଯାୟୀ, ରାମ ପରିବାରର ପୂର୍ବପୁରୁଷ ଖୋଷାଲ ରାମ ପଶ୍ଚିମବଙ୍ଗରୁ ଆସି ଧାମନଗର ଅଞ୍ଚଳରେ ବସବାସ କରିଥିଲେ। ସେତେବେଳେ କନିକା ରାଜାଙ୍କ ଅଧୀନରେ ରାଜସ୍ୱ ଆଦାୟ କାର୍ଯ୍ୟ ସହ ସେମାନଙ୍କ ପରିବାର ଜଡ଼ିତ ଥିବା କୁହାଯାଏ। ପରେ ଏହି ପରିବାର ଏଠାରେ ସ୍ଥାୟୀ ଭାବେ ରହିବା ସହ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ। ସେତେବେଳେ କାଗଜରେ ଜମି ପଟ୍ଟା ଦେବାର ପ୍ରଚଳନ ନଥିବାରୁ କନିକା ରାଜା ତାମ୍ରପତ୍ରରେ ମା’ ଦୁର୍ଗାଙ୍କ ନାମରେ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଥିବା ପରିବାର ପକ୍ଷରୁ କୁହାଯାଏ।ପ୍ରଥମେ ବାଉଁଶବାଡ଼ି ମଧ୍ୟରେ ଥିବା ଏକ ଅସ୍ଥାୟୀ ନଡ଼ାଛପର ଘରେ ମା’ଙ୍କ ପୂଜା କରାଯାଉଥିଲା। ବାଉଁଶ କାଟି ସେହି ସ୍ଥାନରେ ମୂର୍ତ୍ତି ନିର୍ମାଣ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜା ହେଉଥିଲା। ସେତେବେଳେ ମେଢ଼, ପୂଜା ଓ ଭସାଣିକୁ ମିଶାଇ ମୋଟ ଖର୍ଚ୍ଚ ପ୍ରାୟ ୨୦ ଟଙ୍କା ହେଉଥିଲା। ଏବେ ଏହି ପୂଜା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟ ହେଉଛି। ସମୟ ବଦଳିବା ସହ ପୂଜା ମଣ୍ଡପର ରୂପରେଖ ବଦଳିଥିଲେ ମଧ୍ୟ ପରମ୍ପରା ଓ ରୀତିନୀତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ।ଏହି ପୂଜାର ଅନ୍ୟତମ ଆକର୍ଷଣ ହେଉଛି ମା’ଙ୍କ ବିସର୍ଜନ ଓ ଭସାଣି। ଦଶହରା ଦିନ ବିସର୍ଜନ ପରେ ସଙ୍ଗେ ସଙ୍ଗେ ଭସାଣି କରାଯାଏ। ମା’ଙ୍କୁ ଗାଡ଼ିରେ ନ ନେଇ କାନ୍ଧରେ ବୋହି ନିଆଯିବା ଏଠାକାର ଏକ ନିଆରା ପରମ୍ପରା। ଗାଡ଼ିରେ ମା’ଙ୍କୁ ନେଲେ ଅଞ୍ଚଳର କ୍ଷତି ହେବ ବୋଲି ଏଠାରେ ଏକ ପାରମ୍ପରିକ ବିଶ୍ୱାସ ରହିଛି। ସେହିପରି ବିସର୍ଜନ ପରେ ମା’ଙ୍କୁ ମଣ୍ଡପରେ ରଖାଯାଏ ନାହିଁ। ଏହି ପରମ୍ପରାକୁ ପରିବାର ଓ ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ପାଳନ କରିଆସୁଛନ୍ତି। ମହାଳୟାଠାରୁ ରାମ ପରିବାର ପକ୍ଷରୁ ନିୟମାନୁସାରେ ହବିଷ୍ୟାନ୍ନ ଗ୍ରହଣ କରାଯାଏ। ଷଷ୍ଠୀ ଦିନ ମାଟି ଉଠାଇ ବିଲ୍ୱାଧିବାସ କରାଯାଏ। ସପ୍ତମୀ ପ୍ରାତଃ ସମୟରେ କଳସ ଶୋଭାଯାତ୍ରା ଓ ଘଟସ୍ଥାପନ ପରେ ପୂଜା ଆରମ୍ଭ ହୁଏ। ଷୋଡ଼ଶ ଉପଚାରରେ ଦୈନିକ ଦୁଇଥର ମା’ଙ୍କ ପୂଜା କରାଯାଏ। ଦଶହରା ଦିନ ପୂଜା ସମାପନ ପରେ ବିସର୍ଜନ ଓ ଭସାଣି ଅନୁଷ୍ଠିତ ହୁଏ। ଏହି ସମୟରେ ଡିଜେ,କୀର୍ତ୍ତନ,ଢୋଲ ଓ ମାଦଳ ଆଦି ବାଦ୍ୟରେ ପରିବେଶ ଭକ୍ତିମୟ ହୋଇଉଠେ। ଏଠାରେ ପାଞ୍ଚଜଣ ପୂଜକ ମା’ଙ୍କ ପୂଜା କରୁଥିବା ବେଳେ ସିଦ୍ଧୁ ତିଆଡ଼ି ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସୂର୍ଯ୍ୟମଣି ବାରିକ ମେଢ଼ ନିର୍ମାଣ କରୁଛନ୍ତି। ଦେବେନ୍ଦ୍ର ରାମ ଓ ଲକ୍ଷ୍ମୀପ୍ରିୟା ରାମ ପୂଜାର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।ଖୋଷାଲ ରାମଙ୍କଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପରମ୍ପରାକୁ ମୋହନି ରାମ, ଫକୀର ରାମ,ମଦନ ରାମ, ଶୁକଦେବ ରାମ, ନରେନ୍ଦ୍ର ରାମ,କେଦାର ରାମ ଓ ସୁରେନ୍ଦ୍ର ରାମଙ୍କ ପରେ ଏବେ ଦେବେନ୍ଦ୍ର ରାମ ଆଗକୁ ବଢ଼ାଉଛନ୍ତି।ପୁରୁଣା ପରମ୍ପରା,ପରିବାରର ନିଷ୍ଠା ଓ ଅଞ୍ଚଳବାସୀଙ୍କ ଭକ୍ତିକୁ ନେଇ ଶ୍ୟାମପୁରର ଆଦ୍ୟ ଦୁର୍ଗା ତାମିଲ ସାହି ମେଢ଼ ଆଜି ମଧ୍ୟ ଧାମନଗର ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।ମା’ଙ୍କ ମହିମା ଓ କୃପା ଉପରେ ଅଞ୍ଚଳବାସୀଙ୍କ ଅଗାଢ଼ ବିଶ୍ୱାସ ରହିଛି। ମାନସିକ ପୂରଣ ପାଇଁ ଅନେକ ଭକ୍ତ ମା’ଙ୍କ ନିକଟରେ ଗୁହାରି ଜଣାଉଥିବା ବେଳେ ପୂଜା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ