ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଯୁବକ ଗିରଫ
ହାଟଡିହି, (ଓ୍ବାଇଏନଏସ): ରାସ୍ତାରେ ଯିବାଆସିବା ବେଳେ କମେଣ୍ଟ ମାରି ହଇରାଣ କରିବା ଅଭିଯୋଗରେ ସ୍କୁଲ ଯିବା ବନ୍ଦ କରିଦେଲେ ଦଶମ ଶ୍ରେଣୀର ଜଣେ ଛାତ୍ରୀ। ଏପରିକି ଘଟଣାକୁ ନେଇ ପ୍ରତିବାଦ କରିବାରୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ହାଟଡିହି ବ୍ଲକ ଅନ୍ତର୍ଗତ ସମଣା ପଞ୍ଚାୟତ ଗିରିଗାଁ ଗ୍ରାମର ଟୁକୁନା ଜେନାଙ୍କ ପୁଅ ପ୍ରଳୟ ଜେନା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଯିବା ଏବଂ ଫେରିବା ସମୟରେ ରାସ୍ତାରେ ତାଙ୍କୁ ହଇରାଣ କରିବା ସହ କମେଣ୍ଟ ମାରୁଥିଲେ। ଏହାକୁ ନେଇ ଛାତ୍ରୀ ଜଣକ ନିଜକୁ ଅସୁରକ୍ଷିତ ମନେ କରିବା ସହ ସ୍କୁଲ ଯିବା ବନ୍ଦ କରିଦେଇଥିଲେ। ଫଳରେ ତାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା । ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ପ୍ରଳୟଙ୍କୁ ପଚରାଉଚରା କରିଥିଲେ। ଏହାକୁ ନେଇ ପ୍ରଳୟଙ୍କ ସମ୍ପର୍କୀୟ ଟୁକୁନା ଜେନା, ସୁରେନ୍ଦ୍ର ଜେନା, କଇଁ ଜେନା, କାମିନୀ ଜେନା ଓ ବର୍ଷା ଜେନା ଏକଜୁଟ ହୋଇ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ପରିବାରର ଜଣେ ସଦସ୍ୟଙ୍କ ମୁଣ୍ଡ ଫାଟିଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣାକୁ ନେଇ ନନ୍ଦିପଦା ଥାନା ପୁଲିସ ପୋକ୍ସୋ ଆଇନର ଧାରା ୧୨ ସମେତ ଅନ୍ୟାନ୍ୟ ଧାରାରେ ମାମଲା ନଂ ୩୮୧/୨୦୨୬ ରୁଜୁ କରିଛି। ଏହି ମାମଲାରେ ଅଭିଯୁକ୍ତ ପ୍ରଳୟ ଜେନାଙ୍କୁ ଗିରଫ କରାଯାଇଥିବା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।


