ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୨୬ ସମୀକ୍ଷା ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪:୦୦ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ଆୟୋଜନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୯ ଓ ୩୦ ଅକ୍ଟୋବର ୨୦୨୬ ରେ ବାଲେଶ୍ୱରର ଫକୀର ମୋହନ (ଏଫ୍.ଏମ୍.) ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ସଫଳ ଆୟୋଜନ ପାଇଁ ଏହି ପ୍ରସ୍ତୁତି ବୈଠକ ଡକାଯାଇଥିଲା। ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ (VBYLD) ୨୦୨୭’ ଅନ୍ତର୍ଗତ ଏହି ମହୋତ୍ସବର ମୁଖ୍ୟ ବିଷୟବସ୍ତୁ “ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ସମାଜ” ରଖାଯାଇଛି। ଏହି ବିଶାଳ କାର୍ଯ୍ୟକ୍ରମଟି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ‘ମାଇଁ ଭାରତ’ (MY Bharat) ର ମିଳିତ ସହଯୋଗରେ ଆୟୋଜିତ ହେଉଛି। ବୈଠକରେ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଯୁବପିଢ଼ିଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଦିନିଆ ଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଯେଉଁଥିରେ ଲୋକନୃତ୍ୟ (ଦଳଗତ), ଲୋକଗୀତ (ଦଳଗତ) ଏବଂ ସାମାଜିକ ସଚେତନତାମୂଳକ ନୁକଡ଼ ନାଟକ ବା ପଥପ୍ରାନ୍ତ ନାଟକ (ଦଳଗତ) ସାମିଲ ରହିଛି। ଏହା ସହିତ ବ୍ୟକ୍ତିଗତ ବର୍ଗରେ ଚିତ୍ରାଙ୍କନ ଏବଂ କବିତା ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। କବିତା ଲିଖନ ପ୍ରତିଯୋଗିତା ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବୟସ ସୀମା ୧୫ ରୁ ୨୯ ବର୍ଷ (୧୭/୦୮/୨୦୨୬ ସୁଦ୍ଧା) ନିର୍ଦ୍ଧାରଣ କରାଯାଇଛି। ଚଳିତ ବର୍ଷ ଜଣେ ପ୍ରତିଯୋଗୀ କେବଳ ଗୋଟିଏ କାର୍ଯ୍ୟକ୍ରମରେ ହିଁ ଭାଗ ନେଇପାରିବେ ଏବଂ ଗତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଅଧିକ ସୂଚନା ଏବଂ ପଞ୍ଜୀକରଣ ସହାୟତା ପାଇଁ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ,( ୯୩୩୮୩୧୨୪୭୮,୯୩୩୭୪୪୮୪୬୩ ) ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ,( ୯୪୩୭୮୭୭୫୫୯) ବାଲେଶ୍ଵର ଏବଂ ‘ମାଇଁ ଭାରତ’ (MY Bharat), କାର୍ଯ୍ୟାଳୟ, (୯୬୩୩୯୯୮୫୮୬) ବାଲେଶ୍ଵର ସହ ଯୋଗାଯୋଗ କରିପାରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ