ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟି, ଗୋପାଳପୁର ପୋର୍ଟ ଓ ନୋଳିଆ ନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଓ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟି, ଗୋପାଳପୁର ପୋର୍ଟ ପରିସର ଏବଂ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ନୋଳିଆ ନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ଆନ୍ଧ୍ରପ୍ରଦେଶ ଓ ପାରାଦ୍ୱୀପରୁ ଆସି ଆଶ୍ରୟ ନେଇଥିବା ଟ୍ରଲରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଜିଲ୍ଲାପାଳ ଯାଞ୍ଚ କରିଥିଲେ। ଟ୍ରଲରରେ ରହୁଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଆବଶ୍ୟକ ସହାୟତା ଏବଂ ବାତ୍ୟା ସମୟରେ ସେମାନଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ। ଏହାସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମତ୍ସ୍ୟଜୀବୀ ସାମଗ୍ରୀର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସେ ବୁଲି ଦେଖିଥିଲେ। ଆବଶ୍ୟକ ପଡ଼ିଲେ ଟ୍ରଲରରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ନେଇ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଥିବା ଜିଲ୍ଲାପାଳ କହିଥିଲେ। ପରେ ଜିଲ୍ଲାପାଳ ନୋଳିଆ ନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଉପଲବ୍ଧ ମୌଳିକ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପାନୀୟ ଜଳ, ବିଦ୍ୟୁତ୍, ପରିମଳ ବ୍ୟବସ୍ଥା, ଆଶ୍ରୟସ୍ଥଳୀରେ ଲୋକଙ୍କ ରହଣି, ସ୍ଥାନାନ୍ତର ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମୁଦ୍ରକୂଳ ଅଞ୍ଚଳରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଆବଶ୍ୟକ ସମୟରେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଯୋଗାଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ରହିଛି। ଜିଲ୍ଲାପାଳ ଙ୍କ ସହ ପରିଦର୍ଶନ ବେଳେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି ଓ ପୌର ପରିଷଦ ର ଇଓ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l  ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ସଫଳତାର ସହ ମୁକାବିଲା କରିବା ସହ ଜିଲ୍ଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁହାକୁ ତୁହା ବୈଠକ, କ୍ଷେତ୍ର ପରିଦର୍ଶନ ଓ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ