ଚାରି ମାସରେ ଦବିଗଲା ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା
ଗୋପ (ଓ୍ବାଇଏନଏସ): ରାସ୍ତା ନିର୍ମାଣକୁ ମାତ୍ର ଚାରି ମାସ ବିତିଛି। ହେଲେ ଏହାରି ଭିତରେ ଦବିଯାଇଛି ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା। ରାସ୍ତାର ପ୍ରାୟ ୫୦୦ ମିଟର ଦବିଯାଇ ଦୁଇଫାଳ ହୋଇପଡ଼ିଥିବାରୁ ଏହାର ନିର୍ମାଣର ମାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ଏଭଳି ଅବସ୍ଥା ଦେଖି ଯାତାୟାତ କରିବାକୁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ। ଫଳରେ ଦଶଟି ଗାଁର ଲୋକଙ୍କ ଯାତାୟାତକୁ ନେଇ ଚିନ୍ତା ବଢ଼ିଛି। ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଇଟାକୁଦରୁ , ଶଙ୍ଖତିରା,ଡଭାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ମାତ୍ର ଚାରି ମାସ ତଳେ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଡଭାର ଲୁଣହାରରୁ ଗଣେଶ୍ୱରପୁର ଅଞ୍ଚଳକୁ ସଂଯୋଗ କରୁଥିବାରୁ ଗଣେଶ୍ୱରପୁର ଓ ଡଭାର ପଞ୍ଚାୟତର ପ୍ରାୟ ୧୦ଟି ଗାଁର ଲୋକେ ଏହା ଉପରେ ନିର୍ଭର କରୁଥିଲେ। କିନ୍ତୁ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ରାସ୍ତାର ଅଧିକାସ ଅଂଶ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଦବିଯାଇ ଦୁଇଫାଳ ହୋଇଯିବା ଘଟଣା ଏବେ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ରାସ୍ତା ଦବିଯିବା ଫଳରେ ଦୁର୍ଘଟଣାର ଆଶଙ୍କା ରହିଥିବାରୁ ଲୋକେ ଏହି ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଏହାଦ୍ୱାରା ଦୈନନ୍ଦିନ ଯାତାୟାତ ସହ ଅଞ୍ଚଳବାସୀଙ୍କ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ରାସ୍ତା ନିର୍ମାଣ ସମୟରେ ଆବଶ୍ୟକୀୟ ଯାଞ୍ଚ ଓ ତଦାରଖ ଠିକ୍ ଭାବେ କରାଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ପୂର୍ବରୁ ମାଟିର ଗୁଣବତ୍ତା ପରୀକ୍ଷା କରାଯାଇନଥିଲା। ସେହିପରି ମାଟିକୁ ଉପଯୁକ୍ତ ଭାବେ ସମତଳ ଓ ଦୃଢ଼ କରିବା ପାଇଁ ରୋଲର ଚଳାଇବା ଭଳି ଆବଶ୍ୟକୀୟ ପ୍ରକ୍ରିୟା ଠିକ୍ ଭାବେ ଅନୁସରଣ କରାଯାଇନଥିବା ସେମାନେ ଅଭିଯୋଗ ଉଠାଇଛନ୍ତି। ନିର୍ମାଣ କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀଙ୍କ ତଦାରଖରେ ଅବହେଳା ହୋଇଥିବା ମଧ୍ୟ ସେମାନେ ଦାବି କରିଛନ୍ତି । ଏତେ ବିପୁଳ ଅର୍ଥ ବ୍ୟୟରେ ନିର୍ମିତ ରାସ୍ତା ମାତ୍ର ଚାରି ମାସ ମଧ୍ୟରେ ଦବିଯିବା ଘଟଣା ନିର୍ମାଣର ଗୁଣବତ୍ତା ଓ ଅର୍ଥ ବିନିଯୋଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ତେବେ ରାସ୍ତା ଦବିବାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ଏହି ଘଟଣାର ନିରପେକ୍ଷ ବୈଷୟିକ ତଦନ୍ତ କରିବା ସହ ରାସ୍ତା ନିର୍ମାଣରେ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ। ଏଥିସହ ଦାୟିତ୍ୱରେ ଥିବା ଅଧିକାରୀ ଓ ଠିକାଦାରଙ୍କ ଭୂମିକା ଯାଞ୍ଚ କରିବା ସହ ରାସ୍ତାର କ୍ଷତିଗ୍ରସ୍ତ ଅଂଶକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଉଠିଛି। ଏହା ସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏବେ ସମସ୍ତଙ୍କ ନଜର ଗ୍ରାମ୍ୟ ଉନ୍ନୟନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ। ବିଭାଗ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରିବା ସହ ରାସ୍ତାର ସ୍ଥାୟୀ ସମାଧାନ କରୁଛି କି ନାହିଁ, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।


