କଟକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

କଟକ, (ଓ୍ବାଇଏନଏସ): ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୋଟ ୧୪୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୩୯ଟି ବ୍ୟକ୍ତିଗତ ଏବଂ ୬ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୫୪ଟି ଅଭିଯୋଗର ତ୍ୱରିତ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ଶୁଣାଣି କରି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ କୃଷି, ଶିକ୍ଷା, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ, ଭିନ୍ନକ୍ଷମଙ୍କ ସମସ୍ୟା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତା ସମ୍ପର୍କିତ ଅଭିଯୋଗ ଉପସ୍ଥାପନ କରାଯାଇଥିଲା। ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ବିଚାରକୁ ନେଇ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏହି ଜନ ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧୀକ୍ଷକ ବିନୀତ ଆଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଆସନ୍ତା ନଭେମ୍ବର ୨ ତାରିଖରେ ନରସିଂହପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ପରବର୍ତ୍ତୀ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ