ଶ୍ରୀ ମନ୍ଦିର ଭୋଗ ପରମ୍ପରାରେ ବାଳଭୋଗ


ସନ୍ତୋଷ କୁମାର ଦାଶ

ପୁରୀ ଶ୍ରୀମନ୍ଦିର ରେ ବ୍ରାହ୍ମମୁହୂର୍ତ୍ତ ରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଶ୍ରୀ ବିଗ୍ରହ ମାନଙ୍କୁ ବିଭିନ୍ନ ପ୍ରକାରର ଭୋଗ ଲାଗି କରା ଯାଇଥାଏ। ଶ୍ରୀ ବିଗ୍ରହ ମାନଙ୍କୁ ୫୬ ପ୍ରକାର ର ୬୦ ପଉଟି ଭୋଗ ଲାଗି କରାଯାଇଥାଏ ବୋଲି କୁହାଯାଏ। ତେବେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀରୁ ଆରମ୍ଭ କରି କାର୍ତ୍ତିକ ମାସ ଶୁକ୍ଳ ଦଶମୀ ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଏକ ନିଆରା ଭୋଗ ଲାଗି ହୁଏ, ଯାହାର ନାମ ହେଉଛି ବାଳଭୋଗ। ଏହା ପଛରେ ଏକ ଅଲୌକିକ କାହାଣୀ ରହିଛି। ଗଜପତି ମହାରାଜା ପ୍ରତାପରୁଦ୍ର ଦେବ ଦିନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେତେ ବେଳେ ଜଣେ ସେବକ ନିଜ ମୁଣ୍ଡରେ ଖୋସିଥିବା ମହାର୍ଦ୍ଦ ଫୁଲକୁ ପ୍ରସାଦ ଭାବରେ ରାଜାଙ୍କୁ ଦେଇ ଦେଲେ। ରାଜା ଯେତେ ବେଳେ ସେହି ଫୁଲକୁ ଦେଖିଲେ, ସେଥିରେ ଗୋଟିଏ ଚୁଟି ଲାଗି ଥିବାର ଦେଖିଲେ। ରାଜା ବୁଝିଗଲେ ଯେ ଏହା ସେବକର ମୁଣ୍ଡ ରେ ଲାଗିଥିବା ଫୁଲ। ଯେତେବେଳେ ଏହାର କାରଣ ପଚାରନ୍ତି ସେବାୟତ କହିଲେ ମହାପ୍ରଭୁଙ୍କ ମୁଣ୍ଡରେ କେଶ ଅଛି। ତେଣୁ ସେହି କେଶ ଲାଗିଥିବ। ଏଥିରେ କ୍ରୋଧିତ ହୋଇ ରାଜା ସେବକଙ୍କୁ ଡକାଇ ଆଣିଲେ ଓ କହିଲେ ଯଦି ଏହା ସତରେ ମହାପ୍ରଭୁଙ୍କ ପ୍ରସାଦ ଫୁଲ, ତେବେ ମହାପ୍ରଭୁଙ୍କ ମଥାରେ ଚୁଟି ଅଛି ବୋଲି ପ୍ରମାଣ ଦିଅ।ସେବକ ଜଣକ ଭୟରେ ମହାପ୍ରଭୂ ଙ୍କ ଶରଣ ନେଲେ। ରାତିରେ ମହାପ୍ରଭୁ ତାଙ୍କ ସ୍ୱପ୍ନରେ ଆସି ଅଭୟ ଦେଲେ।ପର ଦିନ ରାଜା ଆସି କେଶ ଦେଖାଇବାକୁ ଜିଦ୍ ଧରିବାରୁ ସେବକ କହିଲେ ମହାରାଜ, ଆପଣ ନିଜେ ଶ୍ରୀ ବିଗ୍ରହ ଙ୍କୁ ଦର୍ଶନ କରନ୍ତୁ। ରାଜା ଚାହିଁ ଦେଖନ୍ତି ତ ସତରେ ଶ୍ରୀଜଗନ୍ନାଥଙ୍କ ମସ୍ତକରେ କେଶ ରହିଛି। ସେ ତାହାକୁ ନକଲି ଭାବି ଜୋରରେ ଟାଣି ଦିଅନ୍ତେ ସଙ୍ଗେ ସଙ୍ଗେ ଠାକୁରଙ୍କ ମସ୍ତକରୁ ରକ୍ତ ଧାର ବୋହିବାକୁ ଲାଗିଲା। ଏହା ଦେଖି ରାଜା ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ଓ ସେବକଙ୍କ ଚରଣରେ ପଡି ଗଲେ।ଏହି ଦିବ୍ୟ ଘଟଣାକୁ ମନେ ରଖିବା ପାଇଁ ରାଜା ମହାପ୍ରଭୁଙ୍କ ପାଇଁ ଏକ ନୂତନ ଭୋଗର ବ୍ୟବସ୍ଥା କଲେ, ଯାହା ବାଳ ଭୋଗ ନାମରେ ପ୍ରସିଦ୍ଧ ହେଲା ଏବଂ ଏହାକୁ ମାଦଳା ପାଞ୍ଜିରେ ଲେଖି ରଖିବାକୁ ଆଦେଶ ଦେଲେ। ସେହି ପରମ୍ପରା ଅନୁଯାୟୀ ଆଜି ବି ଆଶ୍ୱିନ ମାସ ଏକାଦଶୀ ତିଥି ଠାରୁ କାର୍ତ୍ତିକ ମାସ ଦଶମୀ ଯାଏଁ ଶ୍ରୀ ବିଗ୍ରହ ମାନଙ୍କ ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କୁ ଏହି ବାଳଭୋଗ ଅର୍ପଣ କରାଯାଏ।
ଏହି ଭୋଗ ରେ ଶୁଖିଲା ଖଇ, ଉଖୁଡା,ସର,ଖୁଆ,ସୋଲାଭଜା ,
ଗଜାମୁଗ,ବିଭିନ୍ନ ଫଳମୂଳ,ଅଦା,
ନଡ଼ିଆପାତି ପ୍ରଭୁତି ରହିଥାଏ। ଭକ୍ତ ମାନେ ମଧ୍ଯ ଏହି ବାଳ ଭୋଗ ଅର୍ପଣ କରିବା ପରମ୍ପରା ରହିଛି। କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଶ୍ୟାଳୀ ମାନେ ପ୍ରାତଃ ରେ ଏହି ଭୋଗ ଖାଇବା ପରେ ଅନ୍ୟ ଖାଦ୍ୟ ଖାଇଥାନ୍ତି।ଭାଗ୍ୟରେ ଥିଲେ ମିଳେ ଶ୍ରୀ ଜଗନ୍ନାଥ ଙ୍କ ବାଳ ଭୋଗ। ଜୟ ଜଗନ୍ନାଥ ସ୍ଵାମୀ।।

୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ