ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ବିବାହିତା ମହିଳାଙ୍କୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିବା, ଜୀବନରୁ ମାରିଦେବାକୁ ଧମକ ଦେବା ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ କରଞ୍ଜିଆ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତାମଳବନ୍ଧ ଗ୍ରାମର ସତ୍ୟବ୍ରତ ପାତ୍ର (୨୬)। ତାଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପୀଡ଼ିତା ୨୦୨୪ ମସିହାରେ ନିଜ ସ୍ୱାମୀଙ୍କ ସହ ମହାରାଷ୍ଟ୍ରର ପୁଣେସ୍ଥିତ ଏକ କୁକୁଡ଼ା ଫାର୍ମରେ କାମ କରିବାକୁ ଯାଇଥିଲେ। ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତିର ସୁଯୋଗ ନେଇ ଉକ୍ତ ଫାର୍ମରେ ପୂର୍ବରୁ କାମ କରୁଥିବା ସତ୍ୟବ୍ରତ ପାତ୍ର ପୀଡ଼ିତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ୨୦୨୫ ଅଗଷ୍ଟ ୧୧ ତାରିଖରେ ପୀଡ଼ିତା ନିଜ ପୈତୃକ ଘରେ ଥିବାବେଳେ ପରିବାରବର୍ଗଙ୍କ ଅନୁପସ୍ଥିତିରେ ସତ୍ୟବ୍ରତ ସେଠାରେ ପହଞ୍ଚି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତ ପ୍ରାୟ ୭ରୁ ୮ ଦିନ ପୀଡ଼ିତାଙ୍କ ବାପଘରେ ରହିବା ସହ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି।
ପରବର୍ତ୍ତୀ ସମୟରେ ପୀଡ଼ିତା ଗର୍ଭବତୀ ହୋଇ ୨୦୨୬ ଏପ୍ରିଲ ୧୨ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଅଭିଯୁକ୍ତ ନିଜ ଗ୍ରାମକୁ ଆସିଥିବା ଜାଣି ପୀଡ଼ିତା ଗତ ଅକ୍ଟୋବର ୫ ତାରିଖରେ ତାଙ୍କ ନିକଟକୁ ଯାଇ ନିଜ ଓ ଶିଶୁର ଭରଣପୋଷଣ ଦାୟିତ୍ୱ ନେବାକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ଉଭୟଙ୍କୁ ଗ୍ରହଣ କରିବାକୁ ମନା କରି ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ପ୍ରଥମେ ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡିକୁ ଯାଇ ଅଭିଯୋଗ କରିଥିଲେ। ତେବେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇନଥିବା ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ, ଅଭିଯୁକ୍ତ ଅକ୍ଟୋବର ୨୦ ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଖବର ପାଇ ପୀଡ଼ିତା ଅକ୍ଟୋବର ୨୭ ତାରିଖରେ କରଞ୍ଜିଆ ଥାନାରେ କେସ୍ ନଂ ୩୭୫ରେ ଏତଲା ଦାଖଲ କରିଥିଲେ। ଏତଲା ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସତ୍ୟବ୍ରତ ପାତ୍ରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ