ନାଗାଵଳୀ ନଦୀରେ ଗୁରୁତରଙ୍କୁ ଖଟରେ ବୋହି ପାର କଲେ ଗ୍ରାମବାସୀ
ଗୁଣପୁର (ୱାଇ ଏନ ଏସ): ସ୍ବାଧୀନତାର ୭୯ ଏବଂ ଜିଲ୍ଲା ଗଠନ ହେବାର ୩୪ ବର୍ଷ ପରେ ମଧ୍ୟ ରାୟଗଡା ଜିଲ୍ଲାରେ ରାସ୍ତା ଓ ପୋଲ ଅଭାବରୁ ଭାରରେ ବୋହିବା ଭଳି ଅଭାବନୀୟ ଘଟଣା ଲଗାତାର ଦେଖିବାକୁ ମିଳୁଛି। ନିକଟରେ କାଶୀପୁର, ଗୁଡାରିରେ ଏଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ଦିନ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ସଦର ବ୍ଲକ ରାୟଗଡାରେ। ରାୟଗଡା ବ୍ଲକ ପିତାମହଲ ପଞ୍ଚାୟତରେ ଥିବା ବେହେରାଗୁଡା ଗ୍ରାମର ନାଗାବଳୀ ନଦୀ ଆରପାରିରେ ଥିବା ବାଇସିଂ ପଞ୍ଚାୟତର ପୂଜାରୀବାମ୍ବୁ ଗ୍ରାମକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ଗ୍ରାମବାସୀମାନେ ଖଟିଆରେ ବିପଜ୍ଜନକ ଭାବେ ବର୍ଷା ଯୋଗୁଁ ଜଳସ୍ତର ବଢ଼ିଥିବା ନାଗାବଳୀ ନଦୀ ପାର କରୁଥିବା ଦେଖିବାକୁ ମିଳିଥିଲା। ଗ୍ରାମର କାଳିଆ ବିଡିକାଙ୍କ ପୁଅ ଅଭି ବିଡିକା ଦେହ ଗୁରୁତ୍ତର ହୋଇଥିବାରୁ ଆଜି ତାଙ୍କୁ ଖଟିଆରେ ବୋହି ବୋହି ନଦୀ ଆରପାରିରେ ବେହେରାଗୁଡା ଗ୍ରାମରେ ଥିବା ଆମ୍ବୁଲାନ୍ସ ନିକଟକୁ ଆଣିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ ଯେ ନଦୀ ଆରପାରିରେ ଥିବା ଏହି ଗ୍ରାମକୁ ପିତାମହଲ ପଞ୍ଚାୟତର ବେଡେଲି ଗ୍ରାମ ଦେଇ ରାସ୍ତା ନିର୍ମାଣ କାମ ପାଇଁ ସର୍ଭେ ହୋଇ ମାଟି ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ଗ୍ରାମବାସୀ ଜୀବନ ଜୀବିକାର ବାଧକ ସାଜିଛି ନାଗାବଳୀ ନଦୀ। କିଛି ଦିନ ତଳେ ନିର୍ବାଚିତ ପ୍ରତିନିଧି ମାନେ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣି ଥିଲେ ଏବଂ ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲ ନିର୍ମାଣ ହେଲେ ଏହି ଅଞ୍ଚଳ ରେ ଥିବା ୬ ଗୋଟି ଗ୍ରାମର ରାୟଗଡା ସହରକୁ ଦୁରତ୍ୱ କମିଯିବା ସହିତ ଗମନାଗମନ ସୁବିଧା ହୋଇ ପାରିବ ବୋଲି ଗ୍ରାମର ସୁରେଶ୍ କଲାକା କହିଛନ୍ତି। ସୂଚନାରୁ ଜଣାପଡିଛି ଅଭି ବିଡିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ସେ ସୁସ୍ଥ ରହିଥିବା ଜଣାପଡିଛି। ତେବେ ଏହି ସମସ୍ୟା ପ୍ରତି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ସହ ଗ୍ରହଣ କରିବାର ଆବଶ୍ୟକତା ରହିଛି।


