ନାଳପାଣିର ପ୍ରଖର ସ୍ରୋତରେ ଭାସିଗଲା ପୋଲ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଡେଙ୍ଗାଓସ୍ତା ଠାରୁ କଇଠଖଣ୍ଡି ଭାୟା ଭୀଷ୍ମଗିରି ଗ୍ରାମ ରାସ୍ତାର ପାଞ୍ଚଆମ୍ବ କେଉଟକଟା ନାଳ ର ପ୍ରଖର ପାଣି ସ୍ରୋତ ରେ ପୋଲ ଭାସିଯାଇଛି। ଯାହାଫଳରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗ୍ରାମକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଥିବାରୁ ଲୋକଙ୍କ ଚଲାପଥ ମଧ୍ୟ ଠପ୍ ହୋଇଯାଇଛି। ପ୍ରାୟ ୩ ବର୍ଷ ପୂର୍ବେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ୩୨୬ ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଡେଙ୍ଗାଓସ୍ତା ଛକ ରୁ କଇଠଖଣ୍ଡି ଓଡ଼ିଆର -୧୫ କି. ମି ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଓ ପୋଲ ଗୁଡ଼ିକ ନିର୍ମାଣ ସମୟରେ ଅତୀବ ନିମ୍ନମାନର କାମ କରାଯାଇଥିବାରୁ ସେଗୁଡିକ ପ୍ରାୟ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି।ରାସ୍ତା କାମ ଟେଣ୍ଡର ସମୟରେ ସମ୍ପୃକ୍ତ ଠିକାଦାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଆଦୌ ମରାମତି କରିନଥିବା ଭୀଷ୍ମଗିରି , କଇଠଖଣ୍ଡି ଗ୍ରାମର ବହୁ ସଂଖ୍ୟକ ସଚେତନ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସେହିପରି ଦିଗପହଣ୍ଡି ବ୍ଳକର ଫାସିଗୁଡା ଗ୍ରାମର ମୁଖ୍ୟରାସ୍ତାରେ ଗୋପାଳଗଣ୍ଡ ର ତପ୍ତପାଣି ଖାରିଆ ନାଳ ର ପାଣି ନିଷ୍କାସନ ର ବୈଷୟିକ ତ୍ରୁଟି ଥିବାରୁ ଫାସିଗୁଡ଼ା ଗ୍ରାମର ଢେପସାହି,ନୂଆସାହି ମଧ୍ୟ ଦେଇ ପ୍ରାୟ ୬ ଫୁଟ ଉଚ୍ଚ ପାଣି ପ୍ରବାହିତ ହେବାରୁ ଲୋକଙ୍କ ଘରେ ବନ୍ୟାପାଣି ପଶି ଯାଇଥିଲା । ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁସଂଖ୍ୟକ ବିପନ୍ନ ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି । ଏଥିସହ କଇଠଡା ପଞ୍ଚାୟତର କଲ୍ୟାଣପୁର , ଗୁହାଳପୁର , ଓଡାସିଙ୍ଗି ସମେତ ଅନେକ ଗ୍ରାମର ଲୋକଙ୍କ ଘରେ ବନ୍ଯାଜଳ ପ୍ରବେଶ କରିବା ଦ୍ବାରା ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ ବିପନ୍ନ ଙ୍କ ପାଖରେ ପହଞ୍ଚି ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ଶୁକ୍ରବାର ସକାଳ ଠାରୁ ବର୍ଷା କମିବା ଦ୍ଵାରା ସ୍ଥିତି ରେ ସାମାନ୍ୟ ସୁଧାର ଆସିଥିବା ଜଣାପଡିଛି ।


