ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା ଦାବି

ଗୁଣପୁର, ୩୦/୧୦:(ୱାଇଏନଏସ) ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ତୁରନ୍ତ କେନ୍ଦ୍ରୀୟ ସହାୟତା ଦାବି କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦୁଇ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆକଳନ, ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍‌ ପଠାଇବା ଏବଂ ସ୍ୱତନ୍ତ୍ର ପୁନର୍ବାସ ପ୍ୟାକେଜ୍ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଉଲାକା ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସାଂସଦ ଚିଠିରେ ଦର୍ଶାଇଛନ୍ତି ଯେ, ଆଦିବାସୀ ବହୁଳ ଓ ପାହାଡ଼ିଆ ଭୌଗୋଳିକ ଅଞ୍ଚଳ ହୋଇଥିବାରୁ ଏହି ଦୁଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଅଧିକ ସମ୍ବେଦନଶୀଳ। ପ୍ରବଳ ବର୍ଷା, ବନ୍ୟା, ଜଳବନ୍ଦୀ, ଗଛ ଉପୁଡ଼ିବା ଓ ଭୂସ୍ଖଳନ ଆଶଙ୍କା ଯୋଗୁଁ ଜନଜୀବନ, ଗ୍ରାମାଞ୍ଚଳର ଯୋଗାଯୋଗ, କୃଷିକାର୍ଯ୍ୟ ଓ ଅତ୍ୟାବଶ୍ୟକ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ, ସେମିଳିଗୁଡ଼ା, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ସମେତ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର, ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର, ଗୁଡ଼ାରୀ ଓ ଗୁଣପୁର ବ୍ଲକ୍‌ର ସ୍ଥିତି ନେଇ ସାଂସଦ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଶ୍ରୀ ଉଲାକା  ରଖିଥିବା  ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ସରକାରୀ ଭିତ୍ତିଭୂମି, ବାସଗୃହ, କୃଷିଜମି ଓ ଜୀବିକାର କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ତୁରନ୍ତ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍‌ (IMCT) ପଠାଯାଉ। କ୍ଷତିଗ୍ରସ୍ତ ରାସ୍ତା, ପୋଲ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସେବା, ବିଦ୍ୟାଳୟ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରର ପୁନରୁଦ୍ଧାର ପାଇଁ SDRF/NDRF ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନା ଅଧୀନରେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ମଞ୍ଜୁର କରାଯାଉ। ଏଥିସହ ଜାତୀୟ ରାଜପଥ-୨୬ ଓ ୩୨୬ର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଉ। ୭୨ ଘଣ୍ଟା ମଧ୍ୟରେ ପ୍ରାଥମିକ ଫସଲ କ୍ଷୟକ୍ଷତି ସର୍ଭେ ଶେଷ କରି ପରବର୍ତ୍ତୀ ସମୟରେ ବିସ୍ତୃତ ଯାଞ୍ଚ କରାଯାଉ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଓ ବିପର୍ଯ୍ୟୟ ସହାୟତା ବ୍ୟବସ୍ଥା ଅନୁଯାୟୀ କ୍ଷତିଗ୍ରସ୍ତ କୃଷକଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ। ବିଶେଷକରି କ୍ଷୁଦ୍ର, ନାମମାତ୍ର ଓ ଆଦିବାସୀ କୃଷକଙ୍କୁ ପ୍ରାଥମିକତା ମିଳୁ। କ୍ଷତିଗ୍ରସ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ରାସ୍ତା, ଗ୍ରାମୀଣ ପୋଲ ଓ କଲଭର୍ଟର ମରାମତି ଏବଂ ପୁନର୍ନିର୍ମାଣ ପାଇଁ ଜରୁରୀକାଳୀନ ଅର୍ଥ ଯୋଗାଇ ଦିଆଯାଉ। ଭବିଷ୍ୟତରେ ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କମାଇବା ପାଇଁ ଉନ୍ନତ ଜଳ ନିଷ୍କାସନ ବ୍ୟବସ୍ଥା ସହ ରାସ୍ତା ନିର୍ମାଣ କରାଯାଉ।
ବଂଶଧାରା, ନାଗାବଳୀ, କୋଲାବ ଓ ଇନ୍ଦ୍ରାବତୀ ନଦୀ ଅବବାହିକାରେ ବନ୍ୟା ଓ ଭୂସ୍ଖଳନ ରୋକିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଜ୍ଞାନିକ ଟାସ୍କ ଫୋର୍ସ ଗଠନ କରାଯାଉ। ଏଥିରେ ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, NDMA, ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଓ CDRIର ବିଶେଷଜ୍ଞଙ୍କୁ ସାମିଲ କରି ଦୀର୍ଘମିଆଦୀ ନିରାକରଣ ଯୋଜନା ପ୍ରସ୍ତୁତ କରାଯାଉ। ଦକ୍ଷିଣ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି କାର୍ଯ୍ୟକ୍ରମ ଅନୁମୋଦନ କରାଯାଉ। ଏହା ଅଧୀନରେ ସବୁଦିନିଆ ରାସ୍ତା, ସୁଦୃଢ଼ ପୋଲ, ଆଗୁଆ ବିପର୍ଯ୍ୟୟ ସତର୍କ ସୂଚନା ବ୍ୟବସ୍ଥା ଓ ସାଟେଲାଇଟ୍‌ ଯୋଗାଯୋଗ ସୁବିଧାର ବିକାଶ କରିବାକୁ ସେ ଦାବି କରିଛନ୍ତି। ସାଂସଦ ଏହି ପରିସ୍ଥିତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବିଚାର କରିବା ସହ ତୁରନ୍ତ ରିଲିଫ୍‌, ପୁନର୍ବାସ ଓ ସ୍ଥାୟୀ ବିପର୍ଯ୍ୟୟ ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ