ଘୁଞ୍ଚିବନି OPSC ପରୀକ୍ଷା

କଟକ, (ଓ୍ବାଇଏନଏସ): ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି OPSC ପରୀକ୍ଷା ଘୁଞ୍ଚାଇବାକୁ ନେଇ ଚାଲିଥିବା ଆଶଙ୍କାର ଅନ୍ତ ଘଟାଇଛନ୍ତି ରାଜ୍ୟ ସରକାର। ଧାର୍ଯ୍ୟ ସମୟ ଅନୁସାରେ ହିଁ ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷା ଅନୁଷ୍ଠିତ ହେବ। ତେବେ ବାତ୍ୟା ପ୍ରଭାବିତ ଜିଲ୍ଲାର ପରୀକ୍ଷାର୍ଥୀମାନେ ଯେପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ଯାତାୟାତ ବ୍ୟବସ୍ଥା କରାଯିବ। ଶୁକ୍ରବାର ଏନେଇ ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, OPSC ପରୀକ୍ଷାକୁ ସ୍ଥଗିତ ରଖିଲେ ପୁନର୍ବାର ଆୟୋଜନ କରିବାକୁ ପ୍ରାୟ ଛଅ ମାସ ସମୟ ଲାଗିପାରେ। ଏହାଦ୍ୱାରା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ରାଜ୍ୟର ଅନ୍ୟ ଅଞ୍ଚଳର ହଜାର ହଜାର ପରୀକ୍ଷାର୍ଥୀଙ୍କୁ ଅଯଥାରେ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ପରୀକ୍ଷା ବାତିଲ୍‌ କିମ୍ବା ସ୍ଥଗିତ ନକରି ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ସରକାର ନେବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩୨୫ ଜଣ ଏବଂ ଗଜପତି ଜିଲ୍ଲାରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଥିବା ଜଣାପଡ଼ିଛି। ବାତ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ହୋଇଛି। ଏହି ସମଗ୍ର ବ୍ୟବସ୍ଥାର ଦାୟିତ୍ୱ ସମ୍ପୃକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ (BDO)ଙ୍କୁ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପରୀକ୍ଷାର୍ଥୀଙ୍କ ଯାତାୟାତ ସୁନିଶ୍ଚିତ କରାଯିବ। ଏନେଇ ମନ୍ତ୍ରୀ କହିଛନ୍ତି, ପ୍ରଭାବିତ ଜିଲ୍ଲାଗୁଡ଼ିକରୁ କେତେଜଣ ପରୀକ୍ଷାର୍ଥୀ ରହିଛନ୍ତି, ତାହାର ଆକଳନ କରାଯାଇଛି। ପରୀକ୍ଷା ସ୍ଥଗିତ କଲେ ଅନ୍ୟ ପ୍ରସ୍ତୁତ ପରୀକ୍ଷାର୍ଥୀମାନେ ମଧ୍ୟ ପ୍ରଭାବିତ ହେବେ। ତେଣୁ ମଧ୍ୟମ ପନ୍ଥା ଭାବେ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରାଯିବ ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ଦାୟିତ୍ୱ ସରକାର ବହନ କରିବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବାତ୍ୟା ଯୋଗୁଁ ଯାତାୟାତ ସମସ୍ୟାରେ ଥିବା ପରୀକ୍ଷାର୍ଥୀମାନେ ଆଶ୍ୱସ୍ତି ପାଇବା ସହ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ