ଘର ଦେଖାଇଦେବାରୁ ନାବାଳକଙ୍କୁ ମାଡ଼ ଅଭିଯୋଗ
ହାଟଡିହି, (ଓ୍ବାଇଏନଏସ): ଆବାସ ଯୋଜନାରେ ଘର ପାଇଁ ସର୍ଭେ କରିବାକୁ ଯାଇଥିବା ଟିମକୁ ଜଣେ ହିତାଧିକାରୀଙ୍କ ଘର ଦେଖାଇଦେବାରୁ ଜଣେ ନାବାଳକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ହାଟଡିହି ବ୍ଲକର ଅଁରା ପଞ୍ଚାୟତରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଆବାସ ଯୋଜନାର ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ବ୍ଲକ ପ୍ରଶାସନ ପକ୍ଷରୁ ପୁନର୍ବାର ସର୍ଭେ କରାଯାଉଛି। ଏଥିପାଇଁ ଏକ ୬ ଜଣିଆ ଟିମ୍ ଗାଁ ଗାଁ ବୁଲି ତୃତୀୟ ଥର ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଘର ଅନୁଧ୍ୟାନ କରୁଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଏହି ସର୍ଭେ ଟିମ୍ ଅଁରା ପଞ୍ଚାୟତକୁ ଯାଇଥିବା ବେଳେ ଜଣେ ହିତାଧିକାରୀଙ୍କ ଘର ଚିହ୍ନଟ କରିବା ପାଇଁ ଜଣେ ନାବାଳକଙ୍କୁ ପଚାରିଥିଲେ। ନାବାଳକ ଜଣକ ଉକ୍ତ ଘର ଦେଖାଇବା ପରେ ଟିମ୍ ସେଠାରେ ପହଞ୍ଚି ଘରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଜଣେ ୱାର୍ଡ ସଭ୍ୟ ସେଠାରେ ପହଞ୍ଚି ତାଙ୍କୁ ନଜଣାଇ ଗାଁକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସର୍ଭେ ଟିମ୍କୁ ଘର ଦେଖାଇଥିବା ନାବାଳକଙ୍କୁ ସମ୍ପୃକ୍ତ ଘରର ଗୃହକର୍ତ୍ତା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣା ସମ୍ପର୍କରେ ତାଙ୍କୁ ମୌଖିକ ଭାବେ ଅବଗତ କରାଯାଇଛି। ଏନେଇ ଲିଖିତ ଅଭିଯୋଗ ଦେବାକୁ ସେ କହିଥିବା ପ୍ରକାଶ କରିଛନ୍ତି।


