ବ୍ଲକ ସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବାତ୍ୟା ଅର୍ଣ୍ଣବ ପ୍ରଭାବ ମଧ୍ୟ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଦେଖିବାକୁ ମିଳିଛି। ୨୮/୧୦/୨୬ ତାରିଖ ସନ୍ଧ୍ୟାରୁ ଭୀଷଣ ପବନ ସହ ଧାରାବାହିକ ବର୍ଷା ଲାଗି ରହିଥିଲା। ସମ୍ଭାବ୍ୟ ବାତ୍ୟାକୁ ନେଇ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକ ସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ ଏବିଡିଓ ଧର୍ମରାଜ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସତର୍କତା ସ୍ବରୂପ ଆଠ ଗୋଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ୪୯୦ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ବିଡିଓ ଶ୍ରୀ ପାତ୍ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ତଦାରଖା କରିବା ସହ ଆଶ୍ରୟସ୍ଥଳୀର ଲୋକଙ୍କ ସହ ଆଲୋଚନା କରିଥିଲେ। ପବନ ଯୋଗୁଁ ବହୁ ଗଛ ରାସ୍ତା ଓ ବିଦ୍ୟୁତ ତାରରେ ପଡ଼ିଥିବା ଯୋଗୁଁ ବିଦ୍ୟୁତ ଯୋଗାଣ ଛିନ୍ନ ହୋଇଥିବା ଯୋଗୁଁ ଜନସାଧାରଣ ଅନ୍ଧାରରେ ରହିବାକୁ ପଡ଼ିଥିଲା। ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିବା ଯୋଗୁଁ ପ୍ରାୟ ୨୪ ଘଣ୍ଟା ମଧ୍ୟରେ ପୁନର୍ବାର ବିଦ୍ୟୁତ ସଂଯୋଗ ହୋଇପାରିଥିଲା। ପବନ ଓ ବର୍ଷା ଯୋଗୁଁ ମାତ୍ର ଅଳ୍ପ ଦିନ ବ୍ୟବଧାନରେ ଅମଳ ହେବାକୁ ଥିବା ଧାନ ଫସଲ ପାଣିରେ ପଡିଯିବାରୁ ଚାଷୀମାନେ ଆର୍ଥିକ କ୍ଷତିକୁ ନେଇ ଭାଙ୍ଗି ପଡ଼ିଛନ୍ତି। ସାମୂହିକ ଭାବେ ଦେଖିଲେ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦଙ୍କ ସକ୍ରିୟ କାର୍ଯ୍ୟକ୍ରମ ସନ୍ତୋଷ ଜନକ ଥିଲା।


