ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଚ୍ଛାପୁରସ୍ଥିତ ବହୁମୁଖୀ ଅନ୍ତରୀତ କ୍ରୀଡ଼ାଙ୍ଗନ (ଇନଡୋର ଷ୍ଟାଡିୟମ) ପରିସରରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି କ୍ଷୀରୋଦ କୁମାର କର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେଇଥିଲେ। ମାର୍ଶାଘାଇ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଆୟର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯୁବଶକ୍ତି ହେଉଛି ଦେଶର ମୁଖ୍ୟ ମେରୁଦଣ୍ଡ। ଏକ ସମୃଦ୍ଧ ତଥା ବିକଶିତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଯୁବ ସମାଜକୁ ନିଶାଦ୍ରବ୍ୟ ସେବନ ଭଳି କୁଅଭ୍ୟାସରୁ ଦୂରେଇ ରହିବାକୁ ପଡ଼ିବ। ନିଶାମୁକ୍ତ ଯୁବଗୋଷ୍ଠୀ ହିଁ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ। ତେଣୁ ପ୍ରତ୍ୟେକ ଯୁବକଯୁବତୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ନୈତିକ ମୂଲ୍ୟବୋଧ ଏବଂ ସୃଜନଶୀଳ ଚିନ୍ତାଧାରା ଜାଗ୍ରତ ହେବା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ନିଜ ବକ୍ତବ୍ୟରେ ଯୁବପିଢ଼ିଙ୍କୁ ସଂସ୍କୃତି, କ୍ରୀଡ଼ା ଓ ରାଷ୍ଟ୍ର ନିର୍ମାଣ ଦିଗରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଯୁବ ମହୋତ୍ସବରେ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବସମାଜ’ ବିଷୟବସ୍ତୁକୁ ଆଧାର କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ, ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ ଓ କବିତା ଲିଖନ ଭଳି ପ୍ରତିଯୋଗିତା ସାମିଲ ଥିଲା। ଏହି ଉତ୍ସବରେ ଜିଲ୍ଲାର ସମସ୍ତ ୯ଟି ବ୍ଲକ୍ ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଯୋଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କ ସମେତ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଆଗାମୀ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବେ।


