ଆଧୁନିକତାର ଛାପରେ ଅତୁଟ ରହିଛି ମାଟିଦୀପର ଚାହିଦା

ଆସିକା  (ୱାଇଏନ୍‍ଏସ୍‍) : ଆଲୋକର ପର୍ବ ଦୀପାବଳୀ ପାଇଁ ଗ୍ରାମାଚଂଳ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଦେଖାଦେଇଛି ଉତ୍ସାହ । ପବିତ୍ର ଦୀପାବଳୀ ତିଥିରେ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ଆଖୁରେ ଧଳା କପଡା କିମ୍ବା କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ସୁମରଣ କରିଥାନ୍ତି । ଦୀପାବଳୀ ପର୍ବ ଭାରତୀୟ ସଂସ୍କୃତିର ପରମ୍ପରାର ଭାବାବେଗ ସହି ଜଡିତ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଦୀପାବଳୀ ଉତ୍ସବକୁ ହର୍ଷଉଲ୍ଲାସର ସହ ପାଳନ କରିବା ପାଇଁ ଯୁବପିଢୀ ସଜବାଜ ହେଉଥିବା ଲକ୍ଷ୍ୟ କରାଯାଇଛି । ଆଲୋକର ପର୍ବ ଦୀପାବଳୀରେ ନିତାନ୍ତ ଆବଶ୍ୟକ ହେଉଥିବା ଦୀପର ଚାହିଦା ଏବେ ବି ଅତୁଟ ରହିଛି । ଦୀପ ତିଆରି କରୁଥିବା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କାରିଗରମାନଙ୍କୁ ପ୍ରୋତ୍ସାହନ ମିଳୁନଥିଲେ ବି ବିନାୟକ ବଜାର, ବସଷ୍ଟାଣ୍ଡ କଳିଙ୍ଗ ରୋଡ, କୁମ୍ଭାର ସାହି, ବାବନପୁର, କର୍ପୂର ନୁଆଗାଁ, ବାଲିଛାଇ, ଦେବଭୂମୀ, ଜୟପୁର ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବହୁ କୁମ୍ଭକାର ନିଜର କୌଳିକ ବଞ୍ଚାଇ ରଖିଥିବା ଜଣାପଡିଛି । ବିଗତ କିଛି ବର୍ଷ ହେଲା ଚାରିଆଡେ କୋଠାବାଡି ଗଢିଉଠିବାରୁ ଦୀପ ପୋଡିବାକୁ ସ୍ଥାନର ଅଭାବ ଏବଂ ଦୀପ ତିଆରି ପାଇଁ ମାଟି ନମିଳିବା ବି ଅନ୍ୟତମ ସମସ୍ୟା ପାଲଟିଛି ବୋଲି ଦୁଃଖର ସହ ପ୍ରକାଶ କରି ବରିଷ୍ଠ କୁମ୍ଭକାର ଗଦାଧର ବେହେରା କହିଛନ୍ତି ଆଲୋକର ପର୍ବ ଦୀପାବଳୀରେ କେତେକ ବ୍ୟକ୍ତି ଲିଚୁଲାଇଟ୍‍, ଏଲ୍‍ଇଡି ଲାଇଟ୍‍ ଓ ମହମବତୀରେ ଘର ସଜାଉଛନ୍ତି ତଥାପି ମାଟିଦୀପର ଚାହିଦା ଏବେବି ଅତୁଟ ରହିଛି । ଆସନ୍ତାକାଲି ଅର୍ଥାତ୍‍ ରବିବାର ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଆଲୋକର ପର୍ବ ଦୀପାବଳୀ ପାଇଁ ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଥିଲା ବେଳେ ସହରର ବହୁ ବ୍ୟସ୍ତବହୁଳ ମୁଖ୍ୟରାସ୍ତା ପାଶ୍ୱର୍ରେ ବିକ୍ରୀ ହେଉଛି ଭଳିକିଭଳି ଅତି ଆକର୍ଷଣୀୟ ମାଟିଦୀପ ଓ ଏହି ମାଟିଦୀପ କିଣିବା ଲାଗି ଗ୍ରାହକଙ୍କ ଭି> ଜମୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଧୁନିକତାର ଛାପରେ ସାଧାରଣ ଜନତା ଏଲ୍‍ଇଡ୍‍ ଲାଇଟ୍‍, ଲିଚୁ ଲାଇଟ୍‍ ଓ ରଙ୍ଗୀନ ଆଲୋକସଜ୍ଜା ଭିତରେ ବି ମାଟିଦୀପକୁ ଅତି ଆଗ୍ରହର ସହ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମାଟିରେ ତିଆରି ସାଧାରଣ ଦୀପ, ପଞ୍ଚମୁଖୀ ଦୀପ, ସପ୍ତମୁଖୀ ଦୀପ ବିକ୍ରୀ ହେଉଥିବା ବେଳେ ଏହି ଦୀପଗୁଡିକର ବେଶ୍‍ ଚାହିଦା ଥିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଦୀପାବଳୀ ସମୟରେ ମାଟିଦୀପ ବ୍ୟବସାୟ କରି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ କୁମ୍ଭକାର ପରିବାର ବେଶ୍‍ ଦୁଇ ପଇସା ରୋଜଗାର କରିଥାନ୍ତି । ଆଲୋକର ପର୍ବ ଦୀପାବଳୀ ସମୟରେ ଲିଚୁମାଳ, ଏଲ୍‍ଇଡି ଲାଇଟ୍‍ ଓ ମହମବତୀରେ ଘର ସଜାଯାଉଥିଲେ ବି ଏହାରି ଭିତରେ ପାରମ୍ପରିକ ମାଟିଦୀପର ଚାହିଦା ଏବେ ଲୋକପ୍ରିୟତାର ଶୀର୍ଷରେ ରହିଥିବା ଦେଖିବାକୁ ମିଳୁଛି । ଆଧୁନିକତାର ଛାପରେ ମାଟିଦୀପର ଅସ୍ଥିତ୍ୱକୁ ବଜାୟ ରଖିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ କୁମ୍ଭକାର ପରିବାରମାନେ ଆକର୍ଷଣୀୟ ଶୈଳୀର ବିଭିନ୍ନ କିସମର ମାଟିଦୀପ ପ୍ରସ୍ତୁତ କରି ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ