ଗୋବର୍ଦ୍ଧୟତୀତି ଗୋବର୍ଦ୍ଧନଃ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଭାରତୀୟ ସଂସ୍କୃତି ହେଉଛି ବିଶ୍ୱର ଏପରି ଏକ ଅନନ୍ୟ ସଂସ୍କୃତି ଯେଉଁଠି ପ୍ରତ୍ୟେକଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବା ସହ ସତ୍କାର ମଧ୍ୟ କରାଯାଇଥାଏ । କାରଣ ଏ ସଂସ୍କୃତି ପୂଜ୍ୟ ପୂଜାରେ ବିଶ୍ବାସ ରଖେ। ସେ କହେ; ଯେ କେବଳ ନିଜ ପାଇଁ ବଞ୍ଚେ ସେ ସ୍ୱାର୍ଥପର ଏବଂ ଯେ ନିଃସ୍ଵାର୍ଥପର ଭାବେ ସମସ୍ତଙ୍କ ପାଇଁ ବଞ୍ଚେ ସେ ହେଉଛି ମହାନ୍ ବା ମହିୟସୀ। ଏହି ମହିୟସୀ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠା ହେଉଛନ୍ତି ଆମ ଗୋମାତା। ତେଣୁ ଶାସ୍ତ୍ରରେ କୁହାଯାଇଛି:
“ଗାଵୋ ବିଶ୍ୱସ୍ୟ ମାତରଃ। ଗାଵଃ ସର୍ଵସୁଖପ୍ରଦାଃ॥”
ଅର୍ଥାତ୍ ଗାଈ ହେଉଛନ୍ତି ସାରା ସଂସାରର ମାତା ଏବଂ ସେ ସମସ୍ତ ପ୍ରକାରର ସୁଖକୁ ପ୍ରଦାନ କରିଥାନ୍ତି। ତେଣୁ ବୈଦିକ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମ ଭାରତୀୟ ସଂସ୍କୃତିରେ ପ୍ରକୃତିର ଉପାସନା ସହିତ ଗୋମାତାଙ୍କ ପୂଜନର ବିବିଧ ଓ ପର୍ବପର୍ବାଣୀରେ ପାଳନ କରାଯାଉଛି। ସେଥି ମଧ୍ୟରୁ ଗୋଟିଏ ପର୍ବ ହେଉଛି ଗୋବର୍ଦ୍ଧନ ଉତ୍ସବ। ଯାହା କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ପାଳିତ ହୋଇଥାଏ। ଏହି ପୂଜା ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ଉକ୍ତ ପର୍ବ ପଛରେ ଥିବା ପୌରାଣିକ କଥାବସ୍ତୁ ଯେତିକି ଚିତ୍ତାକର୍ଷକ, ଏହାର ଆଧ୍ୟାତ୍ମିକ ଓ ଦାର୍ଶନିକ ଦୃଷ୍ଟିକୋଣ ସେତିକି ବ୍ୟାପକ ଏବଂ ପ୍ରାସଙ୍ଗିକ।
ଗୋ ହେଉଛି ଏପରି ଏକ ଶବ୍ଦ ଯାହାର ଅନେକ ଅର୍ଥ ରହିଛି, ଯଥା: ଗୋପ୍ରଜାତି, ପଶୁ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ଦିଗ, ବାଣୀ, ସ୍ୱର୍ଗ, ଇନ୍ଦ୍ରିୟ ଓ ସମ୍ପଦ ଇତ୍ଯାଦି। ସେଭଳି ଗୋବର୍ଦ୍ଧନ ଶବ୍ଦର ଆକ୍ଷରିକ ଅର୍ଥ ‘ଗୋ’ ଗୋଜାତି ( ଗାଈ ପ୍ରଜାତି) ଏବଂ ‘ବର୍ଦ୍ଧନ’ ଅର୍ଥାତ୍ ବୃଦ୍ଧି କରିବା। ଏଥିରୁ ଜ୍ଞାତ ହୁଏ ଯେ, ଆମ ପୂର୍ବ ପୁରୁଷର ସୁରିମାନେ କେତେ ଜ୍ଞାନୀ ନଥିଲେ! ସେମାନେ ବିବିଧ ପର୍ଵପର୍ବାଣୀ ମାଧ୍ୟମରେ ଆମକୁ ପ୍ରକୃତି ସହିତ ଜଡିତ ରହିବା ପାଇଁ ଶିକ୍ଷା ଦେଇଯାଇଛନ୍ତି। ଗୋବର୍ଦ୍ଧନ ପୂଜାର ସବୁଠାରୁ ବଡ଼ ଦାର୍ଶନିକ ବାର୍ତ୍ତା ହେଉଛି ପ୍ରକୃତିକୁ ଭଗବାନ ଜ୍ଞାନ କରି ପୂଜା କରିବା। ଦ୍ଵାପର ଯୁଗରେ ବ୍ରଜବାସୀମାନେ ପ୍ରତିବର୍ଷ ବର୍ଷାର ଦେବତା ଇନ୍ଦ୍ରଙ୍କୁ ପୂଜା କରୁଥିଲେ। ଶ୍ରୀକୃଷ୍ଣ ସେମାନଙ୍କୁ ବୁଝାଇଲେ ଯେ, ଯେଉଁ ଗୋବର୍ଦ୍ଧନ ପର୍ବତ ସେମାନଙ୍କ ଗୋରୁଗାଈଙ୍କୁ ଘାସ ଯୋଗାଉଛି, ଶୁଦ୍ଧ ଜଳ ଓ ଅମ୍ଳଜାନ ଦେଉଛି, ସେହି ପ୍ରତ୍ୟକ୍ଷ ପାହାଡ଼ ହିଁ ସେମାନଙ୍କ ପାଇଁ ପୂଜନୀୟ। ଏହା ଆମକୁ ଶିଖାଏ ଯେ ଈଶ୍ଵର କେବଳ କଳ୍ପନାରେ ନାହାନ୍ତି, ବରଂ ନଦୀ, ପର୍ବତ, ଗଛଲତା ଓ ଜଙ୍ଗଲ ମଧ୍ୟରେ ବିଦ୍ୟମାନ। କାରଣ ପରିବେଶକୁ ସନ୍ତୁଳନ ରକ୍ଷା କରିବା ହିଁ ପ୍ରକୃତ ଧର୍ମ। ଯଦି ଆମେ ପ୍ରକୃତିର ସଂରକ୍ଷଣ ନ କରିବା ତେବେ ମାନବ ସମାଜ ମହାବିପଦର ସମ୍ମୁଖୀନ ନିଶ୍ଚିତ ହେବ। ଯାହା ଆଜିର ଯୁଗ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତେଣୁ ସଂସ୍କୃତରେ କୁହା ଯାଇଛି “ଗୋ ବର୍ଦ୍ଧୟତୀତି ଗୋବର୍ଦ୍ଧନଃ”। ଅର୍ଥାତ୍ ଗୋ-ପ୍ରଜାତି ସହିତ ପ୍ରକୃତିର ସୁରକ୍ଷା କରିଲେ, ସମଗ୍ର ମାନବ ସମାଜର ସୁଖ-ସମୃଦ୍ଧି ଘଟିବ। ଏହାହିଁ “ଗୋବର୍ଦ୍ଧନଃ” ଶବ୍ଦର ଯଥାର୍ଥତା।
ଆମ ବେଦ, ପୁରାଣ ଓ ଉପନିଷଦରେ ଗୋମାତାଙ୍କୁ ସର୍ବୋଚ୍ଚ ଆସନ ଦିଆଯିବା ସହ ପାବନୀ ଓ ପୂଜନୀୟା ବୋଲି ବର୍ଣ୍ଣନା କରାଯାଇଛି। କାରଣ ସେ ନିଜର ସମସ୍ତ ଜୀବନ ମାନବ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗକରି ଚାଲିଛନ୍ତି। ତେଣୁ ତାଙ୍କୁ ଜନ୍ମଦାତ୍ରୀ ମା’ ସହିତ ତୁଳନା କରାଯାଇ ସମଗ୍ର ବିଶ୍ୱର ମାତା ବୋଲି ଆଖ୍ୟା ଦିଆଯାଇଛି:
ସର୍ବଦେବମୟୀ ହି ଗୌଃ ସର୍ବତୀର୍ଥମୟୀ ହି ଗୌଃ ।
ସର୍ବପୁଣ୍ୟମୟୀ ହି ଗୌଃ ସର୍ବପାପହରା ହି ଗୌଃ ॥
ଅର୍ଥତ୍ ଗୋମାତା ସମସ୍ତ ଦେବଦେବୀଙ୍କର ସ୍ୱରୂପା ଅଟନ୍ତି। ସେ ସମସ୍ତ ପବିତ୍ର ତୀର୍ଥର ସ୍ୱରୂପ ଏବଂ ସମସ୍ତ ପୁଣ୍ୟର ଆଧାର। ତାହାଙ୍କ ସେବା ଓ ଦର୍ଶନ ଦ୍ୱାରା ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଯାଏ। ସେଭଳି ଅନ୍ୟ ଏକ ଶ୍ଳୋକରେ କୁହାଯାଉଛି:
ଗାତରଃ ସର୍ବଭୂତାନାଂ ଗାବଃ ସର୍ବସୁଖପ୍ରଦାଃ ।
ମାତରଃ ସର୍ବଲୋକାନାଂ ଗାବଃ ପାବନପାବନୀ ॥
ଏହାର ଅର୍ଥ: ଗାଈମାନେ ସମସ୍ତ ଜୀବଙ୍କ ପାଇଁ ସୁଖ ପ୍ରଦାନକାରୀ ଅଟନ୍ତି। ଗୋମାତା ସମଗ୍ର ସଂସାରର ମାତା ସଦୃଶା ଏବଂ ସେ ପବିତ୍ର ବସ୍ତୁମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପାବନୀ ଅଟନ୍ତି। ସେଭଳି ଗୋବର୍ଦ୍ଧନ ଶବ୍ଦର ବ୍ୟୁତ୍ପତ୍ତି କରାଯାଇଛି : “ସଂସ୍କଯଦ୍ଵାଗାଵୋବର୍ଦ୍ଧ୍ୟନ୍ତେଽତ୍ରଇତି”। ଅର୍ଥାତ୍ ଯେଉଁ ସ୍ଥାନରେ ଗାଈମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଏ, ସେଠାରେ ସେମାନଙ୍କର ସଂଖ୍ୟା ବଢ଼ିଥାଏ। ତେଣୁ ସେହି ସ୍ଥାନ ଅତ୍ୟନ୍ତ ମଙ୍ଗଳମୟ ଏବଂ ସମୃଦ୍ଧିଶାଳୀ ହୋଇଯାଏ।
ଭଗବାନ୍ ଶ୍ରୀକୃଷ୍ଣଙ୍କୁ ପୁରାଣରେ ଗିରିଧରୀ ବୋଲି କୁହାଯାଏ। କାରଣ ସେ ନିଜ କନିଷ୍ଠ ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଧରିଥିଲେ। ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନ ପର୍ବତ ଟେକିଲେ, ସେତେବେଳେ ସେ ସବୁ ଗୋପାଳ ଓ ବ୍ରଜବାସୀମାନଙ୍କୁ ନିଜ ନିଜର ବାଡ଼ି ଲଗାଇ ପର୍ବତକୁ ଟେକିବାରେ ସାହାଯ୍ୟ କରିବାକୁ କହିଥିଲେ। ଭଗବାନ ଚାହିଁଥିଲେ ଏକାକୀ ସବୁ କିଛି କରିପାରିଥାନ୍ତେ, କିନ୍ତୁ ସେ ସମସ୍ତଙ୍କର ସହଯୋଗ ଚାହିଁଲେ। ଏହା ଦର୍ଶାଏ ଯେ ଯେକୌଣସି ବଡ଼ ସଙ୍କଟର ମୁକାବିଲା କରିବା ପାଇଁ ସାମୂହିକ ପ୍ରୟାସ ଓ ଏକତା ଆବଶ୍ୟକ। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିର ଯୋଗଦାନ ଛୋଟ ହେଲେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ। ଏଥିରୁ ପ୍ରତୀୟମାନ ହୁଏ ଯେ, ଗୋବର୍ଦ୍ଧନ ପୂଜା କେବଳ ଏକ ଧାର୍ମିକ ବିଧିବିଧାନ ନୁହେଁ, ବରଂ ଏହା ମାନବ ଜୀବନକୁ ସରଳ, ସୁନ୍ଦର ଓ ସନ୍ତୁଳିତ କରିବାର ଏକ ଜୀବନ୍ତ ଦର୍ଶନ। ଏହା ଆମକୁ ପ୍ରକୃତି ପ୍ରେମୀ ହେବାକୁ, ଅହଂକାର ତ୍ୟାଗ କରିବାକୁ ଏବଂ ସମାଜରେ ମିଳିମିଶି ରହିବାକୁ ପ୍ରେରଣା ଦିଏ। ଆଜିର ବିଜ୍ଞାନ ଓ ବୈଷୟିକ ଯୁଗରେ ଯେତେବେଳେ ପରିବେଶ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି, ସେତେବେଳେ ଗୋବର୍ଦ୍ଧନ ପୂଜାର ଏହି ଦାର୍ଶନିକ ଚିନ୍ତାଧାରା ସମଗ୍ର ବିଶ୍ଵ ପାଇଁ ଏକ ଦିଗଦର୍ଶନ ସଦୃଶ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮


