ଜନକଲ୍ୟାଣ ଓ ବିକଶିତ ଓଡ଼ିଶା ଗଠନକୁ ପ୍ରାଥମିକତା ଦେଇ ଅତିରିକ୍ତ ବଜେଟ୍ : ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ଓ୍ବାଇଏନଏସ) : ଓଡ଼ିଶା ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌କୁ ସ୍ୱାଗତ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ, ରାଜ୍ୟର ସାମଗ୍ରିକ ବିକାଶ ସହ ସାଧାରଣ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଦିଗରେ ଏହି ଅତିରିକ୍ତ ବଜେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିରେ ଗରିବ, କୃଷକ, ମହିଳା, ଯୁବବର୍ଗ, ଛାତ୍ରଛାତ୍ରୀ ଓ ସମାଜର ଅବହେଳିତ ବର୍ଗଙ୍କ କଲ୍ୟାଣକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ୮,୩୧୨ କୋଟି, ମହିଳା ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନାରେ ୫୫୦ କୋଟି ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୬୯୭ କୋଟି ଟଙ୍କାର ବ୍ୟବସ୍ଥା ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ। ସେହିପରି କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ୪୮୫ କୋଟି ଓ ସ୍ୱାସ୍ଥ୍ୟସେବା ପାଇଁ ୧,୨୪୬ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବ। କୃଷକ କଲ୍ୟାଣ ପାଇଁ ୧,୬୦୬ କୋଟି, ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଏବଂ ଜନଜାତି ଅଞ୍ଚଳର ବିକାଶ ପାଇଁ ୩,୭୬୫ କୋଟି ଟଙ୍କାର ବ୍ୟବସ୍ଥା ସରକାରଙ୍କ ସମାବେଶୀ ବିକାଶ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ଭିତ୍ତିଭୂମି ବିକାଶ ପାଇଁ ୨,୩୫୯ କୋଟି, ଶିଳ୍ପ ଓ MSME କ୍ଷେତ୍ର ପାଇଁ ୮୪୩ କୋଟି ଏବଂ ନୂତନ ରେଳପଥ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ୫୫୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟର ଶିଳ୍ପାୟନ, ଯୋଗାଯୋଗ ବ୍ୟବସ୍ଥା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସହାୟକ ହେବ। ବିଶେଷକରି ବିପର୍ଯ୍ୟୟ ପରିଚାଳନା, ରିଲିଫ୍ ଓ ପୁନର୍ବାସ ପାଇଁ ୫,୧୦୦ କୋଟି ଟଙ୍କାର ବ୍ୟବସ୍ଥା ବାତ୍ୟା ଓ ବନ୍ୟାପ୍ରବଣ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିଧାୟକ ଶ୍ରୀ ଦତ୍ତ ଆହୁରି କହିଛନ୍ତି ଯେ, ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ବିପର୍ଯ୍ୟୟ ପରିଚାଳନା, କୃଷି, ଗ୍ରାମୀଣ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ଶିଳ୍ପ ବିକାଶ କ୍ଷେତ୍ରରେ ଏହି ବଜେଟ୍‌ର ବ୍ୟବସ୍ଥାଗୁଡ଼ିକ ବିଶେଷ ମହତ୍ତ୍ୱ ବହନ କରୁଛି। ଏହାର ସଫଳ ରୂପାୟନ ଦ୍ୱାରା ଜିଲ୍ଲାର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ। ଏହା କେବଳ ଏକ ଆର୍ଥିକ ବ୍ୟୟବରାଦ ନୁହେଁ, ବରଂ ଜନକଲ୍ୟାଣ, ସାମାଜିକ ସୁରକ୍ଷା ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ଦତ୍ତ ମତବ୍ୟକ୍ତ କରିଛନ୍ତି। ଶେଷରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସର୍ବାଙ୍ଗୀଣ ବିକାଶକୁ ପ୍ରାଥମିକତା ଦେଇ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାୟକ ଶ୍ରୀ ଦତ୍ତ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ