ମାର୍ଗଶିର ଗୁରୁବାର ପାଇଁ ଚଳଚଞ୍ଚଳ ଧୂଷୁରୀ ବଜାର
ଧାମନଗର (ଓ୍ବାଇଏନଏସ): ଓଡ଼ିଆ ଘରର ପରମ୍ପରା ଓ ଆସ୍ଥାର ପ୍ରତୀକ ମାଣବସା ଗୁରୁବାରକୁ ନେଇ ଉତ୍ସବମୁଖର ହୋଇଉଠିଛି ଧୂଷୁରୀ ଏନ ଏ ସି। ପବିତ୍ର ମାର୍ଗଶିର ମାସର ପ୍ରଥମ ଗୁରୁବାରରେ ମା’ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଘରେ ଘରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିପାଇଁ ଧୂଷୁରୀ ବଜାରରେ ବିଶେଷ ଚଳଚଞ୍ଚଳତା ପରିଲକ୍ଷିତ ହୋଇଛି। ବଜାରର ବିଭିନ୍ନ ଫୁଲ ଦୋକାନ,ଫଳ ଦୋକାନ ଓ ପୂଜା ସାମଗ୍ରୀ ଭଣ୍ଡାର ରଙ୍ଗବେରଙ୍ଗର ଫୁଲ, ଫଳ ଓ ପୂଜା ସାମଗ୍ରୀରେ ସଜେଇ ହୋଇଛି। ବିଶେଷକରି ଗେଣ୍ଡୁଫୁଲ ମାଳ, କଦଳୀ, ନଡ଼ିଆ, ଆଖୁ, ମୂଳା, ସୋରିଷ ଫୁଲ,ଆପଲ, ଅଙ୍ଗୁର, ଧାନ ଛିଞ୍ଚା, ସୁମୁଡା ପତ୍ର ସମେତ ବିଭିନ୍ନ ପୂଜା ସାମଗ୍ରୀରେ ଭରି ରହିଛି ଦୋକାନ। ମା’ଙ୍କ ପୂଜା ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ଗ୍ରାହକମାନେ ବଜାରରେ ଭିଡ଼ ଜମାଉଛନ୍ତି।ଅନ୍ୟପକ୍ଷରେ ପୂଜାକୁ ଦୃଷ୍ଟିରେ ରଖି ଫୁଲ ଓ ଫଳ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ସାମଗ୍ରୀ ଦୋକାନରେ ମହଜୁଦ ରଖିଛନ୍ତି। ଛୋଟ ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ଏହି ପର୍ବକୁ ନେଇ ଉତ୍ସାହ ଦେଖାଦେଇଛି।ଓଡ଼ିଆଣୀଙ୍କ ଏହି ପାରମ୍ପରିକ ମାଣବସା ପୂଜାରେ ଘରେ ଘରେ ଝୋଟି, ଚିତା ଓ ଲକ୍ଷ୍ମୀପାଦରେ ସଜେଇ ହେବ ଅଗଣା। ଭକ୍ତି ଓ ନିଷ୍ଠାର ସହ ମା’ ଲକ୍ଷ୍ମୀଙ୍କୁ ଆବାହନ କରି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବେ ଓଡ଼ିଆଣୀମାନେ।


